ବିହାର: ହୋମଗାର୍ଡ ପରୀକ୍ଷା ବେଳେ ଜଣେ ମହିଳା ଅଚେତ୍ ହେବାରୁ ତାଙ୍କୁ ଚିକିତ୍ସା ପାଇଁ ନିଆଯାଉଥିବା ଆମ୍ବୁଲାନ୍ସରେ ହିଁ ଗଣଦୁଷ୍କର୍ମ କରାଯାଇଛି । ଏଭଳି ଲଜ୍ଜାକର ଖବର ଆସିଛି, ବିହାରର ବୋଧଗୟାରୁ । ବୋଧଗୟା ପୋଲିସ ଷ୍ଟେସନ ଅଞ୍ଚଳର ବିଏମପି-୩ ପରେଡ୍ ଗ୍ରାଉଣ୍ଡରେ ହୋମଗାର୍ଡ ନିଯୁକ୍ତି ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ଜଣେ ମହିଳାଙ୍କୁ ଅଚେତ୍ ହେବାରୁ ତାଙ୍କୁ ହସ୍ପିଟାଲ ନିଆଯାଉଥିଲା । ତେବେ ବାଟରେ ତାଙ୍କୁ ନିଆଯାଉଥିବା ଆମ୍ବୁଲାନ୍ସରେ ହିଁ ଗଣଦୁଷ୍କର୍ମ କରାଯାଇଛି । ଆମ୍ବୁଲାନ୍ସ ଡ୍ରାଇଭର ଏବଂ ଟେକ୍ନିସିଆନ୍ ତାଙ୍କୁ ଦୁର୍ଷ୍କମ କରିଛନ୍ତି । ଏହି ମାମଲା ସାମ୍ନାକୁ ଆସିବା ପରେ ହଙ୍ଗାମା ସୃଷ୍ଟି ହୋଇଛି । ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତ ଡ୍ରାଇଭର ଓ ଟେକ୍ନିସିଆନଙ୍କୁ ଗିରଫ କରିଛି ।
ଘଟଣାଟି ହେଉଛି ୨୪ ଜୁଲାଇ (ବୁଧବାର) ଦିନର । ଏନେଇ ମହିଳା ପ୍ରାର୍ଥୀ ପୋଲିସକୁ ଦୁଷ୍କର୍ମ ବିଷୟରେ ଜଣାଇଥିଲେ । ତାଙ୍କ ଅଭିଯୋଗ ଆଧାରରେ, ଆମ୍ବୁଲାନ୍ସ ଡ୍ରାଇଭର ବିନୟ କୁମାର ଏବଂ ଟେକ୍ନିସିଆନ୍ ଅଜିତ କୁମାରଙ୍କୁ ଦୁଇ ଘଣ୍ଟା ମଧ୍ୟରେ ଗିରଫ କରାଯାଇଥିଲା। ଏଥିସହିତ ମାମଲା ପରିଚାଳନା ପାଇଁ ବୋଧଗୟା ଏସଡିପିଓ ସୌରଭ ଜୟସୱାଲଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିଲା। ପ୍ରମାଣ ସଂଗ୍ରହ ପାଇଁ ଏକ ଫୋରେନସିକ୍ ଦଳ ପଠାଯାଇଥିଲା ଏବଂ ଅଞ୍ଚଳରୁ ସିସିଟିଭି ଫୁଟେଜ୍ ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିଲା।
ଏହି ମାମଲା ସମ୍ପର୍କରେ ଏସଏସପି ଆନନ୍ଦ କୁମାର କହିଛନ୍ତି ଯେ ତଦନ୍ତ ଶୀଘ୍ର ସମାପ୍ତ ହେବ, ଖୁବ୍ ଶୀଘ୍ର ଏକ ଚାର୍ଜସିଟ୍ ଦାଖଲ କରାଯିବ ଏବଂ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଫାଷ୍ଟ-ଟ୍ରାକ୍ ବିଚାର ଏବଂ ଆଇନଗତ କାର୍ଯ୍ୟାନୁଷ୍ଠାନ ସୁନିଶ୍ଚିତ କରିବା ପାଇଁ ସମସ୍ତ ପ୍ରୟାସ କରାଯିବ ।