ନୂଆଦିଲ୍ଲୀ: ଦେଶ ସେବାରେ ସୀମାରେ ମୁତୟନ ସୈନିକଙ୍କ ପରିବାରକୁ ଏବେ ଆଇନଗତ ଲଢେଇରେ ଏକାକୀ ଲଢିବାକୁ ପଡିବ ନାହିଁ । ଭାରତରେ ପ୍ରଥମ ଥର, ସୈନିକ ଓ ଅର୍ଦ୍ଧ ସାମରିକ ବଳର ପରିବାରଙ୍କୁ ସ୍ୱତଃ ପ୍ରବୃତ ଭାବେ ଆଇନ ସହାୟତା ଦେବା ପାଇଁ ଏକ ନୂତନ ଯୋଜନା ଆରମ୍ଭ ହୋଇଛି । ଏହାର ନାମ ‘NALSA ବୀର ପରିବାର ସହାୟତା ଯୋଜନା ୨୦୨୫’ ଦିଆଯାଇଛି । ଆଜି ଯୋଜନାର ଆନୁଷ୍ଠାନିକ ଶୁଭାରମ୍ଭ ଶ୍ରୀନଗରରୁ ହୋଇଛି । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ, ଆପଣ ସୀମାରେ ଦେଶର ସେବା କରନ୍ତୁ, ଆମେ ଆପଣଙ୍କ ପରିବାରର କଥା ବୁଝିବୁ ।
ଏହି ଐତିହାସିକ ଯୋଜନାର ଉଦଘାଟନ ରାଷ୍ଟ୍ରୀୟ ବିଧିକ ସେବା ପ୍ରାଧିକରଣ(NALSA)ର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ଭାରତର ପରବର୍ତ୍ତୀ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ କରିଛନ୍ତି । ଏହି ଅବସରରେ କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ଜମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଓ ମୁଖ୍ୟମନ୍ତ୍ରୀ ଉମର ଅବଦୁଲ୍ଲା ଉପସ୍ଥିତ ଥିଲେ ।
ଏହି ଯୋଜନାର ଏକ ମାନବୀୟ ଚିନ୍ତାଧାରାରୁ ଉତ୍ପନ ହୋଇଛି । ସୂତ୍ର ଅନୁସାରେ, ଅପରେସନ ସିନ୍ଦୂର ପରେ ଯେବେ ବିଚାରପତି ସୂର୍ଯ୍ୟକାନ୍ତ ସୈନିକଙ୍କ କଠିନ ଓ ବଳିଦାନଙ୍କୁ ନିକଟରୁ ଦେଖିଲେ, ତେବେ ସେ ହୃଦବୋଧ କଲେ ଯେ, ସୈନିକଙ୍କ ପରିବାରକୁ ଆଇନଗତ ସହାୟତା ଦିଆଯିବାର ଆବଶ୍ୟକତା ରହିଛି । ଏନଡିଟିଭିର ରିପୋର୍ଟ ଅନୁଯାୟୀ, ବିଚାରପତି ସୂର୍ଯ୍ୟକାନ୍ତ କହିଛନ୍ତି, ଯେବେ ଜଣେ ଯବାନ ଦେଶର ସୀମାରେ ରହୁଛି, ତେବେ ଏହି ଭରସା ରହିବା ଉଚିତ୍ ଯେ, ଯବାନଙ୍କ ପରିବାରଙ୍କ ଅଧିକାରର ରକ୍ଷା ଦେଶର ନ୍ୟାୟପାଳିକା କରିବ ।
ଏହି ଯୋଜନା ଆଧାରରେ ସୈନିକଙ୍କ ପରିବାରର ସଂପତ୍ତି ବିବାଦ, ପାରିବାରିକ ସମସ୍ୟା, ଆର୍ଥିକ ଲେଣଦେଣ ଓ ଅନ୍ୟ ଆଇନଗତ ପ୍ରସଙ୍ଗରେ ନିଃଶୁଳ୍କ ଆଇନ ପରାମର୍ଶ ଓ ସହାୟତା ପ୍ରଦାନ କରାଯିବ । ଏଥିପାଇଁ ସମଗ୍ର ଦେଶରେ ଜିଲ୍ଲାସ୍ତରରେ ବିଧିକ ସେବା ପ୍ରାଧିକରଣ(ଡିଏଲଏସଏ) ମାଧ୍ୟମରେ ସ୍ୱତନ୍ତ୍ର ଶିବିର ଓ ହେଲ୍ପଲାଇନ ସ୍ଥାପନ କରିବାର ଯୋଜନା ରହିଛି ।