ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଥାଇଲାଣ୍ଡ ଏବଂ କାମ୍ବୋଡିଆ ମଧ୍ୟରେ ସୀମା ବିବାଦରେ ଏଣ୍ଟ୍ରି କରିଛନ୍ତି। ଟ୍ରମ୍ପ ଉଭୟ ଦେଶକୁ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଧମକ ଦେଇଛନ୍ତି। ଆମେରିକା ରାଷ୍ଟ୍ରପତି ଶନିବାର ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥ୍ ସୋସିଆଲରେ ଏକ ପୋଷ୍ଟ ସେୟାର କରିଛନ୍ତି। ଦୁଇ ଦେଶ ମଧ୍ୟରେ ସଂଘର୍ଷରେ ଏ ପର୍ଯ୍ୟନ୍ତ ୩୩ ଜଣଙ୍କ ମୃତ୍ୟୁ ଘଟି ସାରିଛି । ଯୁଦ୍ଧ ବନ୍ଦ କରିବା ନେଇ ଦୁଇ ଦେଶକୁ ଟ୍ରମ୍ପ ଧମକ ବି ଦେଇଛନ୍ତି ।
ଟ୍ରମ୍ପ କହିଛନ୍ତି, ମୁଁ ଥାଇଲାଣ୍ଡର କାର୍ୟ୍ୟକାରୀ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛି ଏବଂ ଆଲୋଚନା ସକରାତ୍ମକ ରହିଛି। ଭାରତ-ପାକିସ୍ତାନ ପରି ଅମେ ଥାଇଲାଣ୍ଡ- କାମ୍ବୋଡିଆ ମଧ୍ୟରେ ତୁରନ୍ତ ଅସ୍ତ୍ରବିରତି ଏବଂ ଶାନ୍ତି ଚାହୁଁଛୁ। ଥାଇଲାଣ୍ଡ ଶାନ୍ତି ପ୍ରସ୍ତାବ ଉପରେ ରାଜି ଅଛି । ତେଣୁ ମୁଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କୁ ଏହି ବାର୍ତ୍ତା ବି ଦେଇଛି ।ସେ କହିଛନ୍ତି, \"ଉଭୟ ପକ୍ଷଙ୍କ ସହ କଥା ହେବା ପରେ, ଏହା ମନେ ହେଉଛି ଯେ ଅସ୍ତ୍ରବିରତି, ଶାନ୍ତି ଏବଂ ସମୃଦ୍ଧି ସଭିଙ୍କ ପାଇଁ ଜରୁରୀ। ଦେଖିବାକୁ ବାକି ରହିଲା ଉଭୟ ଦେଶ କେଉଁ ଦିଗରେ ଯାଉଛନ୍ତି।
ଟ୍ରମ୍ପ କହିଛନ୍ତି, ଏହା ପୂର୍ବରୁ ମୁଁ ଥାଇଲାଣ୍ଡ ଯୁଦ୍ଧ ରୋକିବା ପାଇଁ କାମ୍ବୋଡିଆର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛି । କାମ୍ବୋଡିଆ ମଧ୍ୟ ଅସ୍ତ୍ରବିରତି ପାଇଁ ସହମତି ପ୍ରକାଶ କରିଛି । ଏହିପରି ଦୁଇ ଦେଶ ଶାନ୍ତି ପାଇଁ ପ୍ରସ୍ତୁତ ଅଛନ୍ତି । ଏହା ସହିତ ଦୁଇ ଦେଶ ଆମେରିକା ସହିତ ବାଣିଜ୍ୟ କରିବା ପାଇଁ ଆଲୋଚନା କରିବାକୁ ପ୍ରସ୍ତୁତ । ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଏ ପର୍ଯ୍ୟନ୍ତ ଆଲୋଚନାକୁ ସଫଳ ବୋଲି କୁହାଯିବ ନାହିଁ, ଯେ ପର୍ଯ୍ୟନ୍ତ ଦୁଇ ଦେଶ ସଂପୂର୍ଣ୍ଣ ଭାବେ ଶାନ୍ତି ପାଇଁ ଅସ୍ତ୍ରବିରତି ଲାଗୁ କରି ନାହାନ୍ତି । ଯଦି ସଂଘର୍ଷ ବନ୍ଦ ନ କରନ୍ତି ତେବେ ଆମେରିକା ଦୁଇ ଦେଶ ସହ ସବୁ ପ୍ରକାରର ବାଣିଜ୍ୟ ବନ୍ଦ କରିବ ।