ମାଲେ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ୟୁକେ ଗସ୍ତ ଶେଷ କରିବା ପରେ ମାଳଦ୍ୱୀପ ଅଭିମୁଖେ ଯାତ୍ରା କରିଛନ୍ତି। ରାଷ୍ଟ୍ରପତି ଡକ୍ଟର ମହମ୍ମଦ ମୋଇଜୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦୀ ‘ମାଳଦ୍ୱୀପ’ର ସ୍ୱାଧୀନତା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବରେ ଯୋଗଦେବେ।
ମାଳଦ୍ୱୀପରେ ଭାରତର ଉଚ୍ଚାୟୁକ୍ତ ଜି. ବାଲାସୁବ୍ରମଣ୍ୟମ ଗୁରୁବାର କହିଛନ୍ତି ଯେ ଶୁକ୍ରବାରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଚୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ଚୁକ୍ତି ସ୍ୱାକ୍ଷରିତ ହେବାର ଆଶା କରାଯାଉଛି। ଏହା ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଗସ୍ତ। ବାଲାସୁବ୍ରମଣ୍ୟମ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ ଏହା ତୃତୀୟ ଥର ପାଇଁ ମାଳଦ୍ୱୀପ ଗସ୍ତ। ସେ ପ୍ରଥମେ ୨୦୧୮ ଏବଂ ତା'ପରେ ୨୦୧୯ରେ ମାଳଦ୍ୱୀପ ଗସ୍ତ କରିଥିଲେ। ମହମ୍ମଦ ମୁଇଜୁଙ୍କ ରାଷ୍ଟ୍ରପତିତ୍ୱ ସମୟରେ ଏହା କୌଣସି ରାଷ୍ଟ୍ରମୁଖ୍ୟଙ୍କ ପ୍ରଥମ ଗସ୍ତ।
୨୦୧୭ ପରେ ଏହା ପ୍ରଥମ ଥର ଯେ ମାଳଦ୍ୱୀପ ସ୍ୱାଧୀନତା ଦିବସ ପାଳନ ପାଇଁ କାହାକୁ ମୁଖ୍ୟ ଅତିଥି ଭାବରେ ନିମନ୍ତ୍ରଣ କରିଛି। ରାଷ୍ଟ୍ରପତି ମୁଇଜୁଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୨୫ରୁ ୨୬ ପର୍ଯ୍ୟନ୍ତ ମାଳଦ୍ୱୀପ ଗସ୍ତରେ ଯିବେ। ମୁଇଜୁଙ୍କ ସହ ଆଲୋଚନା କରିବା ବ୍ୟତୀତ ପ୍ରଧାନମନ୍ତ୍ରୀ ମୋଦି ଜୁଲାଇ ୨୬ ତାରିଖରେ ମାଳଦ୍ୱୀପର ସ୍ୱାଧୀନତାର ୬୦ ତମ ବାର୍ଷିକୀ ପାଳନ ଉତ୍ସବରେ ମୁଖ୍ୟ ଅତିଥି ମଧ୍ୟ ହେବେ।
ରାଷ୍ଟ୍ରପତି ମୁଇଜୁ ଅକ୍ଟୋବର ୨୦୨୪ରେ ଭାରତ ଗସ୍ତ କରିଥିଲେ। ଦୁବାଇରେ ଅନୁଷ୍ଠିତ ସିଓପି ବୈଠକ ଅବସରରେ ମଧ୍ୟ ଦୁଇ ନେତା ସାକ୍ଷାତ କରିଥିଲେ।
ଅଧିକ ପଢ଼ନ୍ତୁ: ପାକିସ୍ତାନକୁ ଆଉ ଅନ୍ତର୍ଜାତୀୟ ମଞ୍ଚରେ ମିଳିବନି ସମର୍ଥନ!