ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ମାଳଦ୍ୱୀପ ଗସ୍ତରେ ଅଛନ୍ତି । ମାଳଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ନିମନ୍ତ୍ରଣକ୍ରମେ ପିଏମ ମୋଦୀ ମାଳଦ୍ୱୀପ ପହଞ୍ଚିଛନ୍ତି । ମାଲେରେ ଖୋଦ ମୁଇଜ୍ଜୁ ମୋଦୀଙ୍କ ସ୍ୱାଗତ କରିଛନ୍ତି । ପୂରା ସହରକୁ ମୋଦୀଙ୍କ ଫଟୋରେ ସଜା ଯାଇଛି । ଏପରିକି ମାଲେ ସ୍ଥିତ ମାଳଦ୍ୱୀପର ପ୍ରତିରକ୍ଷା ମନ୍ତ୍ରଣାଳୟର କୋଠାରେ ପିଏମ ମୋଦୀଙ୍କ ବଡ ଫଟୋ ଲଗାଯାଇଛି ।
ମାଳଦ୍ୱୀପରେ ପିଏମ ମୋଦୀଙ୍କ ଭବ୍ୟ ସ୍ୱାଗତ ଏଥିପାଇଁ କରାଯାଇଛି, କାରଣ ଏମିତି ସମୟ ଥିଲା ଯେବେ ମାଳଦ୍ୱୀପ ଖୋଲାଖୋଲି ଭାରତର ବିରୋଧ କରିଥିଲା । ଚୀନର ନିକଟତର ହୋଇ ମୁଇଜ୍ଜୁ ଭାରତ ପରିବର୍ତ୍ତେ ବେଜିଂ ଯାତ୍ରା କରିଥିଲେ ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ସାକ୍ଷାତକାର କରି ୨୦ ଗୁରୁତ୍ୱପୂର୍ଣ୍ଣ ଚୁକ୍ତିନାମାରେ ସ୍ୱାକ୍ଷର କରିଥିଲେ ।
ଇଣ୍ଡିଆ ଆଉଟର ନାରା ଦେଇ ମାଳଦ୍ୱୀପରେ କ୍ଷମତାକୁ ଆସିଥିବା ମହମ୍ମଦ ମୁଇଜ୍ଜୁଙ୍କ ଆଭିମୁଖ୍ୟ ଏବେ ପୂର୍ବ ତୁଳନାରେ ବଦଳି ଯାଇଛି । ଯେଉଁଠି ପୂର୍ବେ ସେ ଭାରତକୁ ଖୋଲାଖୋଲି ବିରୋଧ କରୁଥିଲେ ଏବେ ସେ ଭାରତକୁ ଖୁସି କରିବାକୁ ଚାହୁଁଛନ୍ତି । କାରଣ ଭାରତ ଅନେକ ସ୍ତରରେ ମାଳଦ୍ୱୀପକୁ ଝଟକା ଦେଇଛି । ଏଥିରୁ ମୁଇଜ୍ଜୁୁ ବୁଝିଗଲେ ଯେ, ଭାରତ ତାଙ୍କ ପାଇଁ ଦେଶ ପାଇଁ କେତେ ଜରୁରୀ ।
ଗତ ବର୍ଷ ଆରମ୍ଭରେ ମାଳଦ୍ୱୀପର କିଛି ମନ୍ତ୍ରୀ ପିଏମ ମୋଦୀଙ୍କ ବିରୋଧରେ ଆପତ୍ତିଜନକ ଟିପ୍ପଣୀ କରିଥିଲେ । ଏହା ପରେ ଭାରତରେ ବୟକଟ ମାଳଦ୍ୱୀପ ଟ୍ରେଣ୍ଡ ହେବାରେ ଲାଗିଥିଲା । ଏହାର ପ୍ରଭାବରେ ଭାରତୀୟ ପର୍ଯ୍ୟଟକ ମାଳଦ୍ୱୀପ ଯିବା ବନ୍ଦ କରି ଦେଲେ । ଫଳରେ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗକୁ ବହୁତ ବଡ ଝଟକା ଲାଗିଥିଲା ।