ଭୁବନେଶ୍ୱର: ରାଜ୍ୟରେ ବିଚାରଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଜାନୁଆରୀ ୩୧, ୨୦୨୫ ସୁଦ୍ଧା, ରାଜ୍ୟରେ ୨,୦୭୮ ଜଣ ଆଜୀବନ କଏଦୀ ଏବଂ ୧୨,୫୩୨ ଜଣ ବିଚାରାଧୀନ କଏଦୀ ଅଛନ୍ତି । ଆଜି ବିଧାନସଭାରେ ଉତ୍ତର ରଖିଛନ୍ତି ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ବାଲିଗୁଡ଼ା ବିଧାୟକ ଚକ୍ରମଣି କନହରଙ୍କ ଏକ ପ୍ରଶ୍ନ ପଚାରିଥିଲେ, ରାଜ୍ୟରେ ଏବେ କେତୋଟି ଜେଲ୍ ଅଛି ଓ କେତେ କଏଦୀ ଅଛନ୍ତି। ଜେଲମାନଙ୍କରେ କ୍ଷମତା କେତେ ଅଛି ? କ୍ଷମତା ବାହାରେ ଅଧିକ ସଂଖ୍ୟାରେ କଏଦୀ ଅଛନ୍ତି କି ? ନୂତନ ଜେଲ୍ ଗଠନ ହେବାର ଯୋଜନା ଅଛି କି? କେତେ ଆଜୀବନ କଏଦୀ ଅଛନ୍ତି ଓ କେତେ ବିଚାରାଧିନ କଏଦୀ ଅଛନ୍ତି? ଏହାର ଉତ୍ତରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ବର୍ତ୍ତମାନ ୮୭ଟି ଜେଲ୍ ଅଛି । ବିଭିନ୍ନ ଜେଲ୍ର ମୋଟ କ୍ଷମତା ୨୪,୧୯୬ । ଯେଉଁଥିରୁ ବର୍ତ୍ତମାନ ୧୬,୩୧୮ ଜଣ କଏଦୀ ବନ୍ଦୀ ଅଛନ୍ତି, ଯାହା ମୋଟ କଏଦୀ କ୍ଷମତାର ୬୭.୪୪ ପ୍ରତିଶତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । କିନ୍ତୁ ସବୁଠାରୁ ଉଦବେଗ ଜନକ ପ୍ରସଙ୍ଗ ହେଉଛି ଜେଲରେ ବିଶେଷକରି ବିଚାରାଧୀନ କଏଦୀଙ୍କ ସଂଖ୍ୟା ବୃଦ୍ଧି ପାଉଛି । ଏହା ଯୋଗୁଁ ମୋଟ ଜେଲ୍ ସଂଖ୍ୟା ରାଜ୍ୟର ମୋଟ ଜନସଂଖ୍ୟା କ୍ଷମତାଠାରୁ ବହୁତ କମ୍ ରହିଛି। କିଛି ଜେଲ୍ରେ ଅଧିକ ଲୋକ ରହୁଛନ୍ତି କାରଣ ବିଚାରାଧୀନ କଏଦୀଙ୍କ ସଂଖ୍ୟା ଅସ୍ଥାୟୀ ଭାବରେ ବୃଦ୍ଧି ପାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ତେବେ ବର୍ତ୍ତମାନ ନୂତନ ଜେଲ୍ ନିର୍ମାଣ ପାଇଁ ସରକାର କୌଣସି ପ୍ରସ୍ତାବ ଦେଇନାହାଁନ୍ତି ।