କଟକ: ବହୁ ଚର୍ଚ୍ଚିତ ନେପାଳୀ ଛାତ୍ରୀ ମୃତ୍ୟୁ ମାମଲାରେ କିଟ୍ ବିଶ୍ୱବିଦ୍ୟାଳୟ ପାଇଁ ଅଡ଼ୁଆ ବଢ଼ିଛି । କିଟକୁ ମାନ୍ୟବର ଓଡ଼ିଶା ହାଇକୋର୍ଟ ପକ୍ଷଭୁକ୍ତ କରିଛନ୍ତି । କିଟକୁ ଜବାବ ତଲବ କରିଛନ୍ତି କୋର୍ଟ । ଆବେଦନକାରୀ ପ୍ରକାଶ ମହାନ୍ତିଙ୍କ ଜନସ୍ୱାର୍ଥ ମାମଲାର ଶୁଣାଣି କରି କୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି ।
ପୂର୍ବରୁ ଏହି ମାମଲାରେ ଜାତୀୟ ମାନବାଧିକାର ଆୟୋଗ କିଟ୍ ବିଶ୍ୱବିଦ୍ୟାଳୟକୁ ଦାୟୀ କରିଛନ୍ତି । ଗତ ମାର୍ଚ୍ଚ ମାସ ୬ରୁ ୮ ତାରିଖ ପର୍ଯ୍ୟନ୍ତ ଏନଏଚଆରସିର ଦୁଇ ଜଣିଆ ଟିମ ସରଜମିନ ତଦନ୍ତ କରି ରିପୋର୍ଟ ଦେଇଥିଲେ । କଲେଜ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ଏନ୍ଏଚ୍ଆର୍ସି ଦର୍ଶାଇଥିଲେ । ଫେବ୍ରୁଆରି ୧୭ରେ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ ଛାଡ଼ିବାକୁ ବାଧ୍ୟ କରାଯାଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ରବିବାର ବିଳମ୍ବିତ ରାତିରେ ମଧ୍ୟ କିଟ୍ ବିଶ୍ୱବିଦ୍ୟାଳୟର ଆଉ ଜଣେ ଅଣ ଓଡ଼ିଆ ଛାତ୍ରଙ୍କ ଝୁଲନ୍ତ ମୃତଦେହ ଉଦ୍ଧାର ହୋଇଥିଲା । ମୃତ ଛାତ୍ର ଜଣକ ହେଲେ ଛତିଶଗଡ଼ର ରାହୁଲ ଯାଦବ । ସେ କମ୍ପ୍ୟୁଟର ସାଇନ୍ସ ବିଭାଗର ପ୍ରଥମ ବର୍ଷର ଛାତ୍ର ଅଟନ୍ତି । ବର୍ଷକ ମଧ୍ୟରେ ବିଶ୍ୱବିଦ୍ୟାଳୟର ୩ ଛାତ୍ରଛାତ୍ରୀ ଜୀବନ ହାରିଲେଣି । ଚଳିତ ବର୍ଷ ଫେବୃୟାରୀ ୧୬ ଏବଂ ମେ ୧ ରେ ଦୁଇ ଜଣ ନେପାଳୀ ଛାତ୍ରୀ ଜୀବନ ହାରିଥିଲେ ।