ଝାରସୁଗୁଡ଼ା: ୨୦୨୩ର ସବୁଠାରୁ ବହୁ ଚର୍ଚ୍ଚିତ ନବ ଦାସ ହତ୍ୟାକାଣ୍ଡର ତଦନ୍ତକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । କେତେବେଳେ ତଦନ୍ତ ରିପୋର୍ଟରେ ନବଦାସଙ୍କୁ ମରା ଯାଇଥିବା ଗୁଳିର ହିସାବ ମିଳୁନି ତ ଆଉ କେତେବେଳେ ଜବତ ସାମଗ୍ରୀ ତାଲିକାରେ ତାଙ୍କର ସାର୍ଟ ଗାଏବ୍ । ଏବେ ପୁଣି ଏକ ନୂଆ ପ୍ରସଙ୍ଗ ସାମ୍ନାକୁ ଆସିଛି । ମାମଲାର ସାକ୍ଷୀଙ୍କ ସାର୍ଟର ରଙ୍ଗ ବଦଳିଯାଇଥିବା ଦେଖିବାକୁ ମିଳିଛି ।
ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବୟାନ ହୋଇଥିବା ରେକର୍ଡ ଓ ଜବତ ପ୍ରପର୍ଟି ତାଲିକାରେ ପାର୍ଥକ୍ୟ ଦେଖିବାକୁ ମିଳିଛି । ମୁଖ୍ୟ ସାକ୍ଷୀ ଶୁଭେନ୍ଦୁ ପଟ୍ଟନାୟକ ଘଟଣା ଦିନ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବାବେଳେ ବୟାନ ରେକର୍ଡରେ କିନ୍ତୁ ସାର୍ଟି ରଙ୍ଗ ବଦଳି ତାହା ଧଳା ରଙ୍ଗ ହୋଇଯାଇଛି । କିନ୍ତୁ ଜବତ ସାମଗ୍ରୀ ତାଲିକାରେ ମୁଖ୍ୟ ସାକ୍ଷୀ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ଉଲ୍ଲେଖ ରହିଛି ।
୨୦୨୩ ମସିହା ଜାନୁଆରି ୨୯ ତାରିଖରେ ବ୍ରଜରାଜନଗର ଗାନ୍ଧୀଛକ ନିକଟରେ ପୌରାଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ପ୍ରକୋଷ୍ଠ ଉଦ୍ଘାଟନ ପାଇଁ ନବ କିଶୋର ଦାସ ପହଞ୍ଚିଥିଲେ। ଏହି ସମୟରେ ବେଲପାହାଡ଼ ଥାନା ଗୁମାଡ଼େରାର ବିଜେଡ଼ି କର୍ମୀ ଶୁଭେନ୍ଦୁ ପଟ୍ଟନାୟକ ମଧ୍ୟ ଘଟଣାସ୍ଥଳରେ ଥିଲେ । ନବ ଦାସଙ୍କୁ ଗୁଳିମାଡ଼ ହେବା ପରେ ସେ ତୁରନ୍ତ ଛାତିରେ ହାତ ରଖି ସେଠାରେ ସଜ୍ଞାହୀନ ହୋଇ ପଡ଼ିଥିଲେ । ସେଠାରେ ଉପସ୍ଥିତ ଥିବା ସମର୍ଥକ ଶୁଭେନ୍ଦୁ ପଟ୍ଟନାୟକ, ସିଦ୍ଧାର୍ଥ ନାଥ ଶର୍ମା ଓ ଦ୍ୱାରିକାନାଥ ପଣ୍ଡା ତୁରନ୍ତ ନବ ଦାସଙ୍କୁ ଧରି ପକାଇଥିଲେ ଏବଂ ପଛ ସିଟ୍ରେ ଶୁଆଇ ଦେଇଥିଲେ । ଏହି ସମୟରେ ଶ୍ରୀ ପଟ୍ଟନାୟକ ପିନ୍ଧିଥିବା ସାର୍ଟରେ ମଧ୍ୟ ରକ୍ତ ଲାଗି ଯାଇଥିଲା। ୨୦୨୩ ମସିହା ଫେବ୍ରୁଆରି ୩ ତାରିଖରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ସାକ୍ଷ୍ୟଙ୍କର ସିଆର୍ପିସି ଧାରା ୧୬୧ ଅନୁସାରେ ସାକ୍ଷ୍ୟ ଗ୍ରହଣ ହୋଇଥିଲା। ଯେଉଁଥିରେ ଶ୍ରୀ ପଟ୍ଟନାୟକ ତାଙ୍କର ରକ୍ତ ଲଗା ଧଳା ରଙ୍ଗର ସାର୍ଟଟିକୁ କ୍ରାଇମ୍ବ୍ରାଞ୍ଚ ନିକଟରେ ଦାଖଲ କରିଥିବା ବେଳେ କ୍ରାଇମ୍ବ୍ରାଞ୍ଚର ତଦନ୍ତକାରୀ ଅଧିକାରୀ ରମେଶଚନ୍ଦ୍ର ଦୋରା ସାକ୍ଷ୍ୟଙ୍କ ଉପସ୍ଥିତିରେ ତାହା ଜବତ କରିଥିଲେ। ବିସ୍ତୃତ ଜବତ ତାଲିକା କ୍ରାଇମ୍ବ୍ରାଞ୍ଚ ଦ୍ୱାରା ପଢ଼ି ଶୁଣାଯିବା ପରେ ଶ୍ରୀ ପଟ୍ଟନାୟକ ଓ ସାକ୍ଷ୍ୟମାନେ ଦସ୍ତଖତ କରିଥିଲେ। ଶ୍ରୀ ପଟ୍ଟନାୟକଙ୍କର ଏହି ଜମାନବନ୍ଦିରେ (‘ମୋ ଦ୍ୱାରା ରେକର୍ଡ କରାଯାଇଛି) ସ୍ଥାନରେ ତଦନ୍ତକାରୀ ଅଧିକାରୀ ଶ୍ରୀ ଦୋରାଙ୍କର ଦସ୍ତଖତ ମଧ୍ୟ ରହିଥିବା ବେଳେ ତାହା କୋର୍ଟରେ ଜମା କରାଯାଇଛି ।
ସେହି ୩ ତାରିଖରେ କ୍ରାଇମ୍ବ୍ରାଞ୍ଚ ପକ୍ଷରୁ ପ୍ରପର୍ଟି ସିଜର ମେମୋ ମଧ୍ୟ ପ୍ରସ୍ତୁତ କରାଯାଇଥିଲା । ସନ୍ଧ୍ୟା ୮ଟା ୪୫ ମିନିଟ୍ରେ ପ୍ରସ୍ତୁତ ହୋଇଥିବା ଏହି ମେମୋକୁ ଖୋଦ୍ କ୍ରାଇମ୍ବ୍ରାଞ୍ଚର ଅଧିକାରୀମାନେ ହିଁ ପୂରଣ କରିଥିଲେ। ଯେଉଁଥିରେ ଶୁଭେନ୍ଦୁ ପଟ୍ଟନାୟକଙ୍କର ରକ୍ତ ଲଗା ହଳଦିଆ ରଙ୍ଗର ହାଫ୍ ସାର୍ଟ ଜବତ କରାଯାଇଥିବା ବେଳେ ରସାୟନିକ ପରୀକ୍ଷା ପାଇଁ ପଠାଯିବ ବୋଲି ଉଲ୍ଲେଖ କରାଯାଇଥିଲା।
ଗୁଳିମାଡ଼ ସମୟର ଭିଡ଼ିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଶ୍ରୀ ପଟ୍ଟନାୟକ ହଳଦିଆ ରଙ୍ଗର ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ଏଭଳି ସ୍ଥିତିରେ କ୍ରାଇମ୍ବ୍ରାଞ୍ଚ ସିଆର୍ପିସି ୧୬୧ ବୟାନ୍ ରେକର୍ଡ ସମୟରେ କାହିଁକି ସାର୍ଟର ରଙ୍ଗ ବଦଳାଇଦେଇଛି ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହା ଏକ ତ୍ରୁଟି ନା ଜାଣିଶୁଣି ଏପରି କରାଯାଇଛି ତାହା ଏବେ ବଡ଼ ପ୍ରଶ୍ନ ।
ଅନ୍ୟପକ୍ଷରେ ନବଙ୍କ ରକ୍ତ ଭିଜା ସାର୍ଟକୁ ଭୁବନେଶ୍ୱରର ଚିକିତ୍ସା କରିଥିବା ହସ୍ପିଟାଲ ପୋଡ଼ି ଦେଇଥିବା ଜଣାପଡ଼ିଛି । କୋଭିଡ୍ ପ୍ରୋଟୋକଲ୍ ଅନୁସାରେ ସାର୍ଟ ଓ ପ୍ୟାଣ୍ଟ ପୋଡ଼ି ଦିଆଯାଇଛି ବୋଲି କ୍ରାଇମ୍ବ୍ରାଞ୍ଚକୁ ହସ୍ପିଟାଲ କର୍ତ୍ତୃପକ୍ଷ ଜଣାଇଛନ୍ତି । ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ରେକର୍ଡ କରାଯାଇଥିବା ବୟାନକୁ କୋର୍ଟରେ ଦାଖଲ କରାଯାଇଛି ।
ଅନ୍ୟପକ୍ଷରେ ଗୋପାଳଙ୍କ ଓକିଲ ପୂର୍ବରୁ କହିଥିଲେ ଯେ ଗୋପାଳ ଦାସଙ୍କ ଓକିଲଙ୍କ କହିବା ମୁତାବକ, ଗୋପାଳ ବନ୍ଧୁକରେ ଥିବା ୬ଟି ଗୁଳିରୁ ୩ଟି ଜୀବନ୍ତ ଅବସ୍ଥାରେ ଜବତ ହୋଇଥିବା ବେଳେ ବଳକା ୩ଟିରୁ ଗୋଟିଏ ନବ ଦାସଙ୍କ ଛାତିରେ, ଗୋଟିଏ ଅକାମୀ ଓ ଗୋଟିଏ ଆକାଶକୁ ମରାଯାଇଥିଲା । ଫାଙ୍କା ଗୁଳିର ଖୋକା ଓ ଅକାମୀ ଗୁଳି ମିଳିଥିବା ରିପୋର୍ଟରେ ଦର୍ଶାଯାଇଥିବାବେଳେ ନବ ଦାସଙ୍କ ଛାତିରେ ବାଜି ଥିବା ଗୁଳି କିମ୍ବା ଉକ୍ତ ଗୁଳିର ଖୋକା ମିଳି ନ ଥିବା ଗୋପାଳର ଓକିଲ କହିଛନ୍ତି । ସେହିପରି ସ୍ୱାସ୍ଥ୍ୟ ବିଭାଗ ଗାଡ଼ିରେ ୫ଟି ଗନ୍ ସଟ୍ ହୋଲ୍ ଅର୍ଥାତ୍ ଗୁଳି ବାଜି କଣା ହୋଇଯାଇଥିବା ଦେଖାଯାଇଥିଲା । କାରର ବାମ ପାର୍ଶ୍ଵରେ ଏହି ୫ଟି ଯାକ ଗୁଳି ବାଜିଥିଲେ ହେଁ ଏହି ଗୁଳିଗୁଡ଼ିକ କୁଆଡ଼େ ଗଲା ଓ ଗୁଳିର ଖୋକା କାହିଁକି ଘଟଣାସ୍ଥଳରୁ ମିଳିଲାନି ସେ ସମ୍ପର୍କରେ କ୍ରାଇମ୍ବ୍ରାଞ୍ଚ ନିଜ ରିପୋର୍ଟରେ କୌଣସି ତଥ୍ୟ ପ୍ରଦାନ କରି ନ ଥିବା ଗୋପାଳର ଓକିଲ କହିଛନ୍ତି ।