ଆଜି ଆଣ୍ଡାମାନ ଛୁଇଁପାରେ ମୌସୁମୀ । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗର, ଦକ୍ଷିଣ ବଙ୍ଗୋପସାଗର ଏବଂ ଆଣ୍ଡାମାନ ସାଗର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ସ୍ପର୍ଶ କରିବା ସମ୍ଭାବନା ରହିଛି। ଏନେଇ ପାଣିପାଗ ଅନୁକୂଳ ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗ(ଆଇଏମଡି) ସ୍ପଷ୍ଟ କରିଛି।
ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ସାଗରର କିଛି ଅଞ୍ଚଳ ସହିତ ଆଣ୍ଡାମାନ ଓ ନିକୋବର ଦୀପର କିଛି ଅଞ୍ଚଳକୁ ଅଗ୍ରସର ହେବା ପାଇଁ ପାଗ ଅନୁକୂଳ ରହିଛି । ପରବର୍ତ୍ତୀ ୪ରୁ ୫ ଦିନରେ ଦକ୍ଷିଣ ଆରବସାଗରର କିଛି ଅଞ୍ଚଳ ଓ ସମ୍ପୂର୍ଣ୍ଣ ଆଣ୍ଡାମାନ ସାଗରକୁ ମୌସୁମୀ ବାୟୁ ଅଗ୍ରସର ପାଇଁ ପାଗ ଅନୁକୂଳ ରହିଛି ବୋଲି ସେ ଆକଳନ କରିଛନ୍ତି ।
ସେପଟେ ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିପାରେ। ଏବଂ ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି । ଆଜି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ ଗଞ୍ଜାମ, ଗଜପତି, ମୟୂରଭଞ୍ଜ ଓ କେନ୍ଦୁଝରରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି ।
ବୁଧବାର ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମୟୂରଭଞ୍ଜ, କେନ୍ଦୁଝର ଓ ଢେଙ୍କାନାଳରେ ଗରମ ଓ ଗୁଳୁଗୁଳି ହେବ । ୧୫ ଓ ୧୬ ତାରିଖ ଉପକୂଳ ଓଡ଼ିଶା ସମେତ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ଭୀଷଣ ଗରମ ଓ ଗୁଳୁଗୁଳି ଆଶଙ୍କା ଅଛି । ୧୫ରୁ ୧୮ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ବର୍ଷା ହେବାର ସମ୍ଭାବନା ରହିଛି ।