ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ (ସିବିଏସ୍ଇ) ଦୁଇ ଦୁଇଟି ଶ୍ରେଣୀର ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି । ଦ୍ୱାଦଶ ପରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଦଶମରେ ମଧ୍ୟ ଝିଅମାନେ ପୁଅଙ୍କୁ ପଛରେ ପକାଇଛନ୍ତି । ଦଶମ ବୋର୍ଡରେ ସର୍ବ ଭାରତୀୟ ସ୍ତରରେ ୯୩.୬୬ ପ୍ରତିଶତ ପାସ୍ ହାର ରହିଛି । ଯେଉଁଥିରେ ଛାତ୍ରୀଙ୍କ ପାସ୍ ହାର ୯୫ ପ୍ରତିଶତ ରହିଥିବାବେଳେ ଛାତ୍ରଙ୍କ ପାସ୍ ହାର ୯୨.୬୩ ପ୍ରତିଶତ ରହିଛି । ଅର୍ଥାତ ଛାତ୍ରୀଙ୍କ ପାସ୍ ହାର ସଂଖ୍ୟା ୨.୩୭ ପ୍ରତିଶତ ଅଧିକ ରହିଛି । ଭୁବନେଶ୍ୱର ଜୋନରେ ୯୨.୬୪ ପ୍ରତିଶତ ପାସ୍ ହାର ରହିଛି ।
ଦଶମ ବୋର୍ଡ ପରୀକ୍ଷା ପାଇଁ ପଞ୍ଜିକୃତ ହୋଇଥିବା ମୋଟ ୨୩ ଲକ୍ଷ ୮୫ ହଜାର ୭୯ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୨୩ ଲକ୍ଷ ୭୧ ହଜାର ୯୩୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୨ ଲକ୍ଷ ୨୧ ହଜାର ୬୩୬ ଜଣ ଛାତ୍ରଛାତ୍ରୀ ସଫଳତାର ସହିତ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମୋଟ ପାସ ହାର ଗତବର୍ଷ ତୁଳନାରେ ସାମାନ୍ୟତମ (୦.୦୬ ପ୍ରତିଶତ) ଅଧିକ ରହିଛି । ଜବାହାର ନବୋଦୟ ବିଦ୍ୟାଳୟରେ ୯୯.୪୯ ପ୍ରତିଶତ ପାସ୍ ହାର ରହିଥିବାବେଳେ କେନ୍ଦ୍ରୀୟ ବିଦ୍ୟାଳୟରେ ୯୯.୪୫ ପ୍ରତିଶତ ଏବଂ ଇଣ୍ଡିପେଣ୍ଡେଣ୍ଟରେ ୯୪.୧୭ ପ୍ରତିଶତ ପାସ୍ ହାର ରହିଛି ।
ଚଳିତ ବର୍ଷ ତ୍ରିବେନ୍ଦ୍ରମ୍ ୯୯.୭୯ ପ୍ରତିଶତ ପାସ୍ ହାର ସହିତ ଦେଶର ଶ୍ରେଷ୍ଠ ସ୍ଥାନ ଅଧିକାର କରିଥିବାବେଳେ ବିଜୟୱାଡ଼ା ୯୯.୭୯ ପ୍ରତିଶତ ଓ ବେଙ୍ଗାଲୁରୁ ୯୮.୯୦ ପ୍ରତିଶତ ସହିତ ଦ୍ୱିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି । ଭୁବନେଶ୍ୱର ଜୋନ୍ ଦ୍ୱାଦଶ ଭଳି ଦଶମ ବୋର୍ଡ ପରୀକ୍ଷାରେ ମଧ୍ୟ ଶ୍ରେଷ୍ଠ ୧୦ ମଧ୍ୟରେ ସ୍ଥାନ ଅଧିକାର କରିପାରି ନାହିଁ । ଭୁବନେଶ୍ୱର ଜୋନ୍ ଦେଶରେ ୧୨ ନମ୍ବରରେ ରହିଛି ।
ଚଳିତ ବର୍ଷ ୨୬, ୬୭୫ ବିଦ୍ୟାଳୟରୁ ୭୮୩୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୮ ଯାଏ ପରୀକ୍ଷା ହୋଇଥିଲା ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଆଜି ସିବିଏସଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି । ସର୍ବ ଭାରତୀୟ ସ୍ତରରେ କୃତକାର୍ଯ୍ୟ ହାର ୮୮.୩୯ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ପାସ୍ ହାର ସାମାନ୍ୟ ଅଧିକ ରହିଛି । ଗତବର୍ଷ ୮୭.୯୮ ପ୍ରତିଶତ ରହିଥିବା ବେଳେ ଏଥର ୦.୪୧ ପ୍ରତିଶତ ଅଧିକ ରହିଛି । ତେବେ ଛାତ୍ରଙ୍କ ତୁଳନାରେ ଛାତ୍ରୀମାନେ ଏଥର ବାଜି ମାରି ନେଇଛନ୍ତି । ଛାତ୍ରୀଙ୍କ ପାସ୍ ହାର ଛାତ୍ରଙ୍କ ତୁଳନାରେ ୫.୯୪% ଅଧିକ ରହିଛି । ଛାତ୍ରୀଙ୍କ ପାସ୍ହାର ୯୧.୬୪% ଥିବାବେବେଳେ ଛାତ୍ରଙ୍କ ପାସ୍ହାର ୮୫.୭୦% ରହିଛି ।