ସମ୍ବଲପୁର: ଆଉ କିଛି ଦିନ ପରେ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଆୟୋଜନ ହେବାକୁ ଯାଉଛି। ତେବେ ବିଜେପି ରାଜ୍ୟରେ କ୍ଷମତାକୁ ଆସିବା ପରେ ସରକାରଙ୍କ ପକ୍ଷରୁ ଯାତ୍ରା ପାଇଁ ଚଳିତ ବର୍ଷ ୧ କୋଟି ୮ ଲକ୍ଷ ଟଙ୍କା ଅନୁଦାନ ଘୋଷଣା କରାଯାଇଛି । ଏନେଇ ସରକାରଙ୍କ ଅନୁଦାନକୁ ସବୁ ମହଲରେ ସ୍ୱାଗତ କରାଯାଉଥିବା ବେଳେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସମ୍ବଲପୁର ଶୀତଳଷଷ୍ଠୀ ଅନୁଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇସାରିଛନ୍ତି। ଅନ୍ୟପକ୍ଷରେ ସମ୍ବଲପୁର ସହରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାକୁ ସୁରୁଖୁରୁରେ ସମାପନ କରିବାକୁ ସମ୍ବଲପୁରଠାରେ ସରକାରଙ୍କ ପକ୍ଷରୁ ଏକ ବୈଠକରେ ସ୍ୱତନ୍ତ୍ର ସମୀକ୍ଷା କରାଯାଇଛି।
ରାଜ୍ୟ ସରକାରଙ୍କ ପକ୍ଷରୁ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଉପସ୍ଥିତରେ ସମ୍ବଲପୁର ସର୍କିଟ ହାଉସଠାରେ ଅନୁଷ୍ଠିତ ଏହି ଗୁରୁତ୍ବପୂର୍ଣ୍ଣ ସମୀକ୍ଷା ବୈଠକରେ ଆରଡିସି, ପୋଲିସ ଆଇଜି, ଜିଲ୍ଲାପାଳ, ଏସପି, କମିସନରଙ୍କ ସମେତ ସବୁ ଜିଲ୍ଲାର ସବୁ ବରିଷ୍ଠ ପ୍ରଶାସନିକ ଅଧିକାରୀମାନେ ବୈଠକରେ ପ୍ରମୁଖ ଉପସ୍ଥିତ ରହିଥିଲେ। ବିଶେଷକରି ବର୍ତ୍ତମାନ ସାମ୍ଭାବ୍ୟ ଯୁଦ୍ଧ ପରିସ୍ଥିତି ସହ ପ୍ରଚଣ୍ଡ ରୌଦ୍ରତାପରେ କିପରି ଭାବରେ ଶୀତଳଷଷ୍ଠୀ ଯାତ୍ରାକୁ ସୁରୁଖୁରୁରେ ସମାପନ କରାଯିବ ସେନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। ଏଥିସହ ବୈଠକରେ ଚଳିତ ବର୍ଷର ଯାତ୍ରାରେ ଅଧିକ ସଂଖ୍ୟକ ସୁରକ୍ଷାକର୍ମୀଙ୍କୁ ନିୟୋଜିତ ସହ ଯାତ୍ରାରେ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଥିବା ନେଇ ବୈଠକରେ ସୂଚନା ଦିଆଯାଇଛି। ଏଥିସହ ଦିଲ୍ଲୀରୁ ବଡ ବଡ଼ ପ୍ରଶାସନିକ ଅଧିକାରୀ, ମନ୍ତ୍ରୀ ଓ ସାଂସଦଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଥିବା ସୂଚନା ଦିଆଯାଇଥିଲା ।