ଭୁବନେଶ୍ୱର : ଆଣ୍ଡାମାନରେ ପାଦ ଥାପିଲା ମୌସୁମୀବାୟୁ । ମଙ୍ଗଳବାର ମଧ୍ୟାହ୍ନରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଣ୍ଡାମାନ ଛୁଇଁଛି । ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଦକ୍ଷିଣ ବଙ୍ଗୋପସାଗର, ଦକ୍ଷିଣ ଆଣ୍ଡାମାନ ସାଗର ଅଞ୍ଚଳ, ନିକୋବର ଦୀପ, ଏବଂ ଉତ୍ତର ଆଣ୍ଡାମାନ ସାଗରର କିଛି ଅଞ୍ଚଳକୁ ମଧ୍ୟ ଅଗ୍ରସର ହୋଇଛି । ଏନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଏନେଇ ଏକ୍ସରେ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମା ଶଙ୍କର ଦାସ। ଗତ ୨୪ ଘଣ୍ଟାରେ ନିକୋବର ଦୀପର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । କିଛି ସ୍ଥାନରେ ଭାରୀ ବର୍ଷା ହୋଇଛି। ଆଗକୁ ଏଠାରେ ବର୍ଷା ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ ।
ତେବେ ଆଣ୍ଡାମାନ ଛୁଇଁବାର ଦୁଇ ସପ୍ତାହ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ। ଜୁନ୍ ଦ୍ଵିତୀୟ ସପ୍ତାହ ସୁଦ୍ଧା ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।