ଭୁବନେଶ୍ୱର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରେ ବିଦ୍ୟୁତ ଆଘାତରେ ୨୨ ବର୍ଷୀୟ ମହିଳା ଏବଂ ତାଙ୍କ ୨ ବର୍ଷର ପୁଅର ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହା ସହିତ ମୁଖ୍ୟମନ୍ତ୍ରୀ ଶୋକ ସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଏକ୍ସରେ ପୋଷ୍ଟ କରିଛନ୍ତି, "କେନ୍ଦୁଝର ବାଂଶପାଳ ବ୍ଲକରେ ବିଦ୍ୟୁତ ଆଘାତରେ ୨୨ ବର୍ଷୀୟ ମହିଳା ଏବଂ ତାଙ୍କ ୨ ବର୍ଷର ପୁଅର ପ୍ରାଣହାନି ସମ୍ପର୍କରେ ଜାଣି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି"।
ଏଠାରେ ଉଲ୍ଲେଖ ଯୋଗ୍ୟ, ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ କଳ୍ପନା ବେହେରା ଆଜି ତାଙ୍କ ୨ ବର୍ଷର ପୁଅକୁ କାଖରେ ଧରି ଲୁଗା ଶୁଖାଉଥିଲେ। ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ କଳ୍ପନା ଆସିଥିଲେ । ଫଳରେ ମା ଏବଂ ପୁଅ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ବୋହୂର ଚିତ୍କାର ଶୁଣି ଶାଶୂ ଶାନ୍ତିଲତା ଉଦ୍ଧାର କରିବାକୁ ଯିବା ସମୟରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଶାନ୍ତିଲତା ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଳ୍ପନା ମାତ୍ର ବର୍ଷକ ତଳେ ବିବାହ କରିଥିଲେ ।