କେନ୍ଦୁଝର: ଲୁଗା ଶୁଖାଇବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମା' ଓ ପୁଅଙ୍କ ଜୀବନ । ସେପଟେ ବୋହୂ ଏବଂ ନାତିକୁ ବଞ୍ଚାଇବାକୁ ଯାଇ ଶାଶୂ ଗୁରୁତର ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା ଓ ତାଙ୍କ ଅଢ଼େଇ ବର୍ଷର ପୁଅ ଶୁଭ୍ରଜିତ ବେହେରା । ଶାଶୂ ଶାନ୍ତିଲତା ବେହେରା ଗୁରୁତର ଅଛନ୍ତି ।
ପ୍ରାପ୍ତ ପ୍ରାଥମିକ ସୂଚନା ମୁତାବକ, କଳ୍ପନା ବେହେରା ଆଜି ତାଙ୍କ ୨ ବର୍ଷର ପୁଅକୁ କାଖରେ ଧରି ଲୁଗା ଶୁଖାଉଥିଲେ। ଏହି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ କଳ୍ପନା ଆସିଥିଲେ । ଫଳରେ ମା ଏବଂ ପୁଅ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ବୋହୂର ଚିତ୍କାର ଶୁଣି ଶାନ୍ତିଲତା ଉଦ୍ଧାର କରିବାକୁ ଯିବା ସମୟରେ ସେ ମଧ୍ୟ ବିଦ୍ୟୁତ ସଂସ୍ପର୍ଶରେ ଆସିଥିଲେ । ଫଳରେ ଶାନ୍ତିଲତା ଗୁରୁତର ହୋଇପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । କଳ୍ପନା ମାତ୍ର ବର୍ଷକ ତଳେ ବିବାହ କରିଥିଲେ ।
ଏଠାରେ ଉଲ୍ଲେଖ ଯୋଗ୍ୟ, ଗତ ଏପ୍ରିଲ ୨୨ ତାରିଖରେ କଳାହାଣ୍ଡିରେ ଏକ ସମାନ ଧରଣର ଘଟଣା ଘଟିଥିଲା । କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଟୁର୍ଚ୍ଚି ଗାଁରେ ଡଙ୍ଗରପଡ଼ାରେ ଓଦା କପଡ଼ା ସୁଖାଉଥିବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମା’ ଓ ପୁଅଙ୍କର ଏକା ସାଙ୍ଗରେ ମୃତ୍ୟୁ ହୋଇଥିଲା । ମାଆ ଫୁଲ ସୁନା ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ପୁଅ ରବି ସୁନା ତାଙ୍କୁ ଉଦ୍ଧାର କରିବା ବେଳେ ଉଭୟଙ୍କର ମୃତ୍ୟୁ ହୋଇଥିଲା ।