ଭୁବନେଶ୍ୱର: ତାତିରୁ ମିଳିବ ମୁକ୍ତି । ଓଡ଼ିଶାର ୭ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଏନେଇ ମଙ୍ଗବଳାର ଅପରାହ୍ନରେ ସର୍ତକ ସୂଚନା ଜାରି କରିଛି ଭାରତୀୟ ପାଣିପାଗ ବିଭାଗ। ଆଇଏମଡ଼ି ବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ବୁଲେଟିନରେ ଦକ୍ଷିଣ-ପଶ୍ଚିମର ୭ ଜିଲ୍ଲା ପାଇଁ ସର୍ତକତା ଜାରି ହୋଇଛି। ଏହି ୭ ଜିଲ୍ଲା ଗୁଡିକ ହେଉଛି ଗଜପତି, ଗଞ୍ଜାମ, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ସୁନ୍ଦରଗଡ଼ ଏବଂ ନୂଆପଡ଼ା। ଏହି ଜିଲ୍ଲା ଗୁଡ଼ିକ ପାଇଁ ୟୋଲୋ ୱାର୍ଣ୍ଣି ଜାରି କରାଯାଇଛି।
ଆସନ୍ତା ତିନି ଘଣ୍ଟା ମଧ୍ୟରେ ଏହି ସାତଟି ଜିଲ୍ଲାରେ ବଜ୍ରପାତ ଏବଂ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଝଡ଼ବର୍ଷା ସହିତ ପବନର ବେଗ ଘଣ୍ଟା ପ୍ରତି ୩୦-୪୦ କିଲୋମିଟର ପର୍ୟ୍ୟନ୍ତ ପହଞ୍ଚିପାରେ। ପାଗ ଉପରେ ନଜର ରଖିବାକୁ ଏବଂ ବଜ୍ରପାତରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ସ୍ଥାନକୁ ଯିବାକୁ ଆଇଏମଡି ପକ୍ଷରୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।