ପୁରୀ :ଚଳଚଞ୍ଚଳ ରଥଖଳା । ମଙ୍ଗଳବାର ରଥ ନିର୍ମାଣର ତ୍ରୟୋଦଶ ଦିବସ। ରଥ କାଠ ଅନୁକୂଳ ହେବା ପରେ ରଥ ନିର୍ମାଣ ଜୋର୍ ସୋରରେ ଆଗେଇ ଚାଲିଛି। ରଥ ଖଳାରେ ପ୍ରଥମେ ରଥର ଚକ ନିମନ୍ତେ ତୁମ୍ଭ ନିର୍ମାଣ ହୋଇଥିଲା। ତୁମ୍ବରେ ବିନ୍ଧ ଏବଂ ସୂତା ବାଡ଼ିଆ କାର୍ଯ୍ୟ ହୋଇଥିଲା। ନୃସିଂହ ଚତୁର୍ଦ୍ଦଶୀ ଦିନ ରୂପକାର ସେବକମାନେ କୋଣ ଗୁଜ ଅନୁକୂଳ ଏବଂ ଭୋଇ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ ଯନ୍ତାଗାଡ ଖୋଳିଥିଲେ। ଦିନ ରାତି ଶିଶୁ ମହାରଣାଙ୍କ ସହ ବଡ଼ ମହାରଣା ମାନେ ମଧ୍ୟ ରଥ କାର୍ଯ୍ୟ କରୁଛନ୍ତି । ପରମ୍ପରା ଅନୁସାରେ ମହାପ୍ରଭୁଙ୍କ ସେବାରେ ନିୟୋଜିତ ମହାରଣା ସେବକ ନିଜେ ରଥ କାର୍ଯ୍ୟ କରିବା ସହ ନିଜ ଆଗାମୀ ପିଢ଼ିକୁ ମଧ୍ୟ ଏହି ରଥ ନିର୍ମାଣ କାର୍ଯ୍ୟ ଶିଖାଇବା ଛୋଟ ବେଳୁ ଶିଖନ୍ତି ଯାହା ଫଳରେ ସେମାନେ ଭବିଷ୍ୟତରେ ମହାପ୍ରଭୁଙ୍କ ଏହି ମହାନ ପରମ୍ପରା ରଥନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରିବେ।
ତେବେ ରଥ ଖଳାରେ ରୂପକାର ସେବକମାନେ ସିଂହ ବିରାଳ କାର୍ଯ୍ୟ ଆରମ୍ଭ କରିଛନ୍ତି । ସେପଟେ ଯନ୍ତାଗାଡ଼ରେ ଚକରେ ଅର ସଂଯୋଗ କରାଯାଉଛି। ଏହି ଚକରେ ଅର ସଂଯୋଗକୁ ଶ୍ରୀମନ୍ଦିର ପାରମ୍ପରିକ ଭାଷାରେ ଏହାକୁ ସିଙ୍ଗଡ଼ା ବାଡିଆ କୁହାଯାଏ। ଏହାପରେ ଚକରେ ପହି ଲଗାଯିବା କାର୍ଯ୍ୟ ଅନୁକୂଳ ହୋଇଛି ।