ଭୁବନେଶ୍ୱର : ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଡହ ଡହ ତାତିରେ ସିଝୁଛି ସାରା ଓଡ଼ିଶା । ଲଗାତାର ୩ ଦିନ ହେଲା ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି । ରାଜଧାନୀରେ ଅସହ୍ୟ ଗୁଳୁଗୁଳି ସହ ଅସହ୍ୟ ଖରା ଜନଜୀବନ ଅସ୍ତବ୍ୟସ୍ତ କରୁଛି ।ଆଜି ସକାଳ ସାଢେ ୮ଟା ସୁଦ୍ଧା ୩୨.୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଭୁବନେଶ୍ବର ଆର୍ଦ୍ରତା ୭୧.୬% ରେକର୍ଡ ହୋଇଛି । ବାୟୁମଣ୍ଡଳରେ ଆଦ୍ରତା ପରିମାଣ ଅଧିକ ରହିବା ହେତୁ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି । ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ପ୍ରବଳ ଗରମ ଅନୂଭୁତ ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଆଗାମୀ ୩ ଦିନ ପର୍ଯ୍ୟନ୍ତ ୨ ରୁ ୩ ଡିଗ୍ରୀ ବଢିବ ଦିନ ତାପମାତ୍ରା ।
ସେପଟେ ଆଜି ଆଣ୍ଡାମାନ ଛୁଇଁଛିଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଆଣ୍ଡାମାନ ସାଗର ସମେତ ଦକ୍ଷିଣ ବଙ୍ଗୋପସାଗର ଓ ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜର କିଛି ଅଞ୍ଚଳକୁ ମୌସୁମୀ ବାୟୁ ଅଗ୍ରସର ହୋଇଥିବା ସହ ପାଣିପାଗ ସଂପୂର୍ଣ୍ଣ ଅନୁକୂଳ ରହିଥିବା ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ରହିଛି ।ଜୁନ୍ ଦ୍ବିତୀୟ ସପ୍ତାହରେ ଦକ୍ଷିଣ ପଶ୍ଚିମ ମୌସୁମୀ ଓଡ଼ିଶା ସ୍ପର୍ଶ କରିବ ବୋଲି ଆକଳନ କରାଯାଇଛି ।