ଭୁବନେଶ୍ଵର: କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ପଶ୍ଚିମ କେନ୍ଦ୍ରୀୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି । ଏହି ୨୪ ଘଣ୍ଟାରେ ଲଘୁଚାପର ରୂପ ଅଧିକ ସ୍ପଷ୍ଟ ହେବ । ଏହା ଆନ୍ଧ୍ର-ଓଡ଼ିଶା ଉପକୂଳ ଦେଇ ଗତି କରିବ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ଲଘୁଚାପ ପ୍ରଭାବ ବିଶେଷ କରି ଦକ୍ଷିଣ ଓଡ଼ିଶା ଉପରେ ରହିବ । ୧୩ ଠାରୁ ୧୫ ତାରିଖ ଯାଏଁ କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସ୍ଥାନେ ସ୍ଥାନେ ବିଜୁଳି, ଘଡ଼ଘଡ଼ି ସହ ଝଟକା ବି ହୋଇପାରେ।
ଆଜି କୋରାପୁଟ ଏବଂ ମାଲକାନଗିରିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଆକଳନ କରାଯାଇଛି । ଏହା ସହିତ ଗଜପତି, ରାୟଗଡ଼ା, କଳାହାଣ୍ଡି, ନବରଙ୍ଗପୁର, ନୂଆପଡ଼ା ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହିତ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ଝଟକା ପବନ ମଧ୍ୟ ବୋହିବାର ଅନୁମାନ କରାଯାଇଛି ।
ସେହିପରି ୧୪ ତାରିଖରେ ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ଥିବାବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହି ଜିଲ୍ଲାଗୁଡ଼ିକ ହେଲା କଳାହାଣ୍ଡି, ରାୟଗଡ଼ା, ଗଜପତି ଓ ନବରଙ୍ଗପୁର । ଏଭଳି ପାଣିପାଗ ୧୫ ଓ ୧୬ ତାରିଖ ଯାଏ ଜାରି ରହିବ । ବିଶେଷକରି ଦକ୍ଷିଣ ଓଡ଼ିଶାରେ ଲଘୁଚାପ ଜନିତ ବର୍ଷାହେବାର ସମ୍ଭାବନା ରହିଛି ।
ତେବେ ଲଘୁଚାପ ଯୋଗୁଁ ୧୩ ଠାରୁ ୧୬ ତାରିଖ ଯାଏଁ ସମୁଦ୍ର ଭିତରକୁ ମତ୍ସ୍ୟଜୀବୀଙ୍କୁ ଯିବାକୁ ବାରଣ କରାଯାଇଛି ।