କଟକ: ବହୁ ଚର୍ଚ୍ଚିତ ଓଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲାରେ ଗୋଟିଏ ପରେ ଗୋଟିଏ ସତ ଏବେ ପଦାକୁ ଆସୁଛି । ପ୍ରଶ୍ନ ପତ୍ର କେଉଁଠୁ ଲିକ୍ ହୋଇଥିଲା , କିଏ ନେଇଥିଲା , ମାଧ୍ୟମ କିଏ ଥିଲା ଏପରି ତମାମ ପ୍ରଶ୍ନର ସତ ଓଗାଳିଛନ୍ତି ମୁଖ୍ୟ ଅଭିଯୁକ୍ତ ଜିତନ୍ ମହାରଣା । ଅଭିଯୁକ୍ତଙ୍କ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ମିଳିଥିବା କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରଶ୍ନପତ୍ର ଲିକ୍ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ଡାଟା ଏଣ୍ଟ୍ରି ଅପରେଟର୍ ଜିତନ ମହାରଣା ଓ ବିଜୟ ମିଶ୍ରଙ୍କ ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ହୋଇଛି । ରିମାଣ୍ଡ ବେଳେ ଗୋଟି ଗୋଟି ସତ ଓଗାଳିଛି କ୍ରାଇମବ୍ରାଞ୍ଚ । ଏଥିରେ କେବଳ ୮ ଅଭିଯୁକ୍ତ ନ ଥିଲେ ମଧ୍ୟ ଅନ୍ୟମାନେ ମଧ୍ୟ ପରୋକ୍ଷରେ ସାହାଯ୍ୟ କରିଥିବା କ୍ରାଇମବ୍ରାଞ୍ଚ ଜାଣିବାକୁ ପାଇଛି । ଜିତନ୍ ମହାରଣା ତତ୍କାଳୀନ ବୋର୍ଡ ଉପସଭାପତି ଡକ୍ଟର୍ ନିହାର ରଞ୍ଜନ ମହାନ୍ତିଙ୍କ ଲାପଟପରୁ ଏକ ପେନ୍ ଡ୍ରାଇଭରେ ସଫ୍ଟ କପି ଆଣିବା ସହ ହାର୍ଡକପି ମଧ୍ୟ ନେଇଥିଲେ । କେହି କିପରି ସନ୍ଦେହ ନ କରିବେ ପ୍ରଶ୍ନକୁ ହାତରେ ଲେଖାଯାଇଥିଲା । ଏହା ପରେ ଏକ ବନ୍ଦ ଲଫାପା ଭିତରେ ଶିକ୍ଷକ ନେତା ବିଜୟ ମିଶ୍ରଙ୍କ ଡ୍ରାଇଭର ଜରିଆରେ ପ୍ରଶ୍ନପତ୍ରକୁ କଟକରୁ ନୟାଗଡ଼କୁ ନିଆଯାଇଥିଲା । ଆଉ ଡ୍ରାଇଭରଙ୍କ ସହିତ ଯାଇଥିଲେ ଜିତନ୍ ମହାରଣା ।
ଖାଲି ସେତିକି ନୁହେଁ ନୟାଗଡ଼ରେ ପହଁଚିବା ପରେ ବିଜୟ ମିଶ୍ର ଭାଇଙ୍କୁ ଲଫାପାକୁ ହସ୍ତାନ୍ତର କରିଥିଲେ । ସେଠାରୁ ବିଜୟ ମିଶ୍ରଙ୍କ ଭାଇ ଆମ୍ବଦଳାକୁ ଲଫାପାକୁ ନେଇ ଯାଇଥିଲେ । ଆଉ ସେଠାରେ ପୂର୍ବରୁ ଉପସ୍ଥିତି ଥିବା ବିଜୟ ମିଶ୍ର, ସନାତନ ବିଶୋୟୀ, ପ୍ରକାଶ ଖମାରୀଙ୍କୁ ଉକ୍ତ ଲଫାପାକୁ ହସ୍ତାନ୍ତର କରିଥିଲେ । ଏହା ପରେ ପରବର୍ତ୍ତୀ ସମୟରେ କୋରାପୁଟରେ ମଧ୍ୟ ଜେରକ୍ସ କରାଯାଇଥିଲା । ତେବେ କ୍ରାଇମବ୍ରାଞ୍ଚ ଉକ୍ତ ଡ୍ରାଇଭର ଓ ବିଜୟଙ୍କ ଭାଇଙ୍କୁ ଜେରା ଆରମ୍ଭ କରିଛି ।