ଭୁବନେଶ୍ୱର: ଆଜି 'ବିଶ୍ୱ ଅଙ୍ଗଦାନ ଦିବସ' ଅବସରରେ ଅଙ୍ଗଦାନ କରି ଅନ୍ୟମାନଙ୍କର ଜୀବନ ବଞ୍ଚାଇଥିବା ଅଙ୍ଗଦାତାଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି । ଅଙ୍ଗଦାତାଙ୍କ ପରିବାର ସଦସ୍ୟ 'ସୂରଜ ସମ୍ମାନ'ରେ ସମ୍ମାନିତ ହୋଇଛନ୍ତି । ଗୋଟିଏ କିମ୍ବା ତତୋଧିକ ଅଙ୍ଗ ଦାନ କରିଥିବା ବିଭିନ୍ନ ଜିଲ୍ଲାର ମୋଟ ୨୪ ଜଣ ଅଙ୍ଗଦାତାଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏଁ ସମ୍ମାନ ରାଶି ପ୍ରଦାନ କରିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ତାଙ୍କ ସୋସିଆଲ୍ ମିଡ଼ିଆ ଏକ୍ସରେ କହିଛନ୍ତି, “ସମାଜରେ ଅଙ୍ଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି କରୁଥିବା ସମସ୍ତ ଅନୁଷ୍ଠାନ ଏବଂ ସ୍ଵେଚ୍ଛାସେବୀଙ୍କୁ ସେମାନଙ୍କ ପ୍ରୟାସ ଓ ସହଯୋଗ ପାଇଁ ଅଶେଷ ଧନ୍ୟବାଦ ଜଣାଉଛି। ଆଜିର ଦିନରେ ଅଙ୍ଗଦାନ ଭଳି ଏକ ମହତ କାର୍ଯ୍ୟରେ ନିଜକୁ ସାମିଲ କରିବା ସହ ଅନେକ ବହୁମୂଲ୍ୟ ଜୀବନ ବଞ୍ଚାଇବା ନିମନ୍ତେ ଏକତ୍ରିତ ହେବା ପାଇଁ ଆହ୍ଵାନ ଦେଉଛି”।