ଚେନ୍ନାଇ: ଏକ ସମାବର୍ତ୍ତନ ଉତ୍ସବରେ ଦେଖିବାକୁ ମିଳିଛି ଅଜବ ଦୃଶ୍ୟ। ଯେଉଁଠି ଛାତ୍ରଛାତ୍ରୀମାନେ ଖୁସିରେ ନିଜର ଡିଗ୍ରୀ ଗ୍ରହଣ କରୁଛନ୍ତି, ସେଠି ଜଣେ ଛାତ୍ରୀ ରାଜ୍ୟପାଳଙ୍କ ହାତରୁ ନିଜର ଡିଗ୍ରୀ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। ବୁଧବାର ଚେନ୍ନାଇରୁ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ମନୋନମନିୟମ ସୁନ୍ଦରାନର ବିଶ୍ୱବିଦ୍ୟାଳୟର ୩୨ତମ ସମାବର୍ତ୍ତନ ଉତ୍ସବରେ ଜଣେ ପିଏଚଡି ସ୍କଲାର ଛାତ୍ରୀ ତାମିଲନାଡୁ ରାଜ୍ୟପାଳ ଆରଏନ ରବିଙ୍କଠାରୁ ତାଙ୍କର ଡିଗ୍ରୀ ଗ୍ରହଣ କରିବାକୁ ମନା କରିଦେଇଥିଲେ। ସେଅଭିଯୋଗ କରିଥିଲେ, 'ରାଜ୍ୟପାଳ ତାମିଲନାଡୁର ସ୍ୱାର୍ଥ ବିରୁଦ୍ଧରେ କାମ କରିଛନ୍ତି।' ଏହା ପରେ ଛାତ୍ରୀଜଣକ ବିଶ୍ୱବିଦ୍ୟାଳୟର କୁଳପତିଙ୍କଠୁ ଡିଗ୍ରୀ ଗ୍ରହଣ କରିଥିଲେ।
ଛାତ୍ରୀ ଜିନ୍ ଜୋସେଫ୍ ମାଇକ୍ରୋ ଫାଇନାନ୍ସରେ ଡକ୍ଟରେଟ୍ ଡିଗ୍ରୀ ଗ୍ରହଣ କରିଥିଲେ। ସେ କହିଛନ୍ତିମ, ଜାଣିଶୁଣି ରାଜ୍ୟପାଳଙ୍କଠାରୁ ଦୂରତା ରଖିଥିଲେ। ରାଜ୍ୟପାଳ ଆରଏନ ରବି ତାମିଲ ଲୋକଙ୍କ ପାଇଁ କିଛି କରିନାହାନ୍ତି। ସେଥିପାଇଁ ମୁଁ ତାଙ୍କଠାରୁ ମୋର ଡିଗ୍ରୀ ନେବାକୁ ଚାହୁଁ ନଥିଲି।
ବିଶ୍ୱବିଦ୍ୟାଳୟ ସମାରୋହର ଭିଡିଓ ଫୁଟେଜରେ, ଜିନ୍ ଜୋସେଫ୍ ମୁଖ୍ୟ ଅତିଥି ରାଜ୍ୟପାଳ ଆରଏନ ରବିଙ୍କୁ ଏଡ଼ାଇ ଭାଇସ୍ ଚାନ୍ସଲର ଏନ ଚନ୍ଦ୍ରଶେଖରଙ୍କଠାରୁ ତାଙ୍କର ଡିଗ୍ରୀ ନେଉଥିବାର ଦେଖାଯାଇଥିଲା। ଯଦିଓ ରାଜ୍ୟପାଳ ଏହାକୁ ଏକ ଭୁଲ ବୋଲି ଭାବିଥିଲେ, ଛାତ୍ରୀଜଣକ ତାଙ୍କ ଇଙ୍ଗିତ ମାଧ୍ୟମରେ ପ୍ରକାଶ କରିଥିଲେ ଯେ ସେ ଜାଣିଶୁଣି ଏହି ନିଷ୍ପତ୍ତି ନେଇଛନ୍ତି।
NDTV ରିପୋର୍ଟ ଅନୁଯାୟୀ, ବିଶ୍ୱବିଦ୍ୟାଳୟର ଜଣେ ବରିଷ୍ଠ ପ୍ରଫେସର କହିଛନ୍ତି, 'ଆମେ ଭାବିଥିଲୁ ଯେ ସେ କୁଳପତିଙ୍କ ହାତରୁ ଛାତ୍ରୀ ଏହି ଡିଗ୍ରୀ ପାଇବାକୁ ଚାହାଁନ୍ତି, କିନ୍ତୁ ପରେ ଆମେ ଜାଣିଲୁ ଯେ ସେ ଏହା ଜାଣିଶୁଣି କରିଛନ୍ତି।'
ଜିନ୍ ଜୋସେଫଙ୍କ ସ୍ୱାମୀ ରାଜନ୍ ଶାସକ ଦ୍ରାବିଡ ମୁନେତ୍ର କାଝାଗମ (DMK)ର ଜଣେ ଅଧିକାରୀ, ଯିଏ ରାଜ୍ୟପାଳଙ୍କ ସହିତ ବିବାଦରେ ଅଛନ୍ତି। ଡିଏମକେ ରାଜ୍ୟପାଳଙ୍କ ଉପରେ ତାମିଲନାଡୁ ବିଧାନସଭା ଦ୍ୱାରା ଗୃହୀତ ବିଲ୍ ଅନୁମୋଦନରେ ଜାଣିଶୁଣି ବିଳମ୍ବ କରିବା ଏବଂ ନିର୍ବାଚିତ ସରକାରଙ୍କ କାମ ବନ୍ଦ କରିବାର ଅଭିଯୋଗ କରି ସାରିଛି। ମାମଲା ସୁପ୍ରିମକୋର୍ଟରେ ବିଚାରଧୀନ ରହିଛି।