କୋଣାର୍କ/କେନ୍ଦୁଝର: ରାଜ୍ୟର ଦୁଇଟି ଜିଲ୍ଲାରେ ଦୁଇ ଜଣ ଛାତ୍ରୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ପୁରୀ ଜିଲ୍ଲାରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ମୃତ୍ୟୁବରଣ କରିଥିବାବେଳେ କେନ୍ଦୁଝରରେ ଜଣେ ପିଜି ଛାତ୍ରୀଙ୍କ ମୃତ ଦେହ ମିଳିଛି ।
ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ପୁରୀ ଜିଲ୍ଲା ଅଣ୍ଢିଆସାହିରେ ଘର ଭିତରୁ ଜଣେ ଦଶମ ଛାତ୍ରୀର ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣ ଗଡ଼ତୁରିଆ ଗାଁରେ ହୋଇଥିବାବେଳେ ସେ ନିଜ ପରିବାର ସହିତ ଅଣ୍ଢିଆ ସାହିରେ ଭଡ଼ାରେ ରହୁଥିଲେ । ତେବେ ଏହ ଆତ୍ମହତ୍ୟା ନାଁ ହତ୍ୟା ତାହା ସ୍ପଷ୍ଟ ହୋଇ ନ ଥିବାବେଳେ ପୋଲିସ ମୃତ ଦେହକୁ ଜବତ କରି ଯାଞ୍ଚ ଆରମ୍ଭ କରିଛି । ପରିବାର ସଦସ୍ୟଙ୍କୁ ପଚାରଉଚରା କରୁଛି ପୋଲିସ ।
ଅନ୍ୟପକ୍ଷରେ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଅନୁରୂପ ଘଟଣା ଦେଖଇବାକୁ ମିଳିଛି । ଏକ ଘରୋଇ ଛାତ୍ରୀନିବାସରୁ ଜଣେ ପିଜି ଛାତ୍ରୀଙ୍କ ମୃତ ଦେହ ସନ୍ଦେହ ଜନକ ଅବସ୍ଥାରେ ମିଳିଛି । ଉକ୍ତ ଛାତ୍ରୀ ଜଣକ ଧରଣୀଧର ବିଶ୍ୱ ବିଦ୍ୟାଳୟରେ ଆନ୍ଥ୍ରୋପୋଲୋଜି ବିଭାଗରେ ଅଧ୍ୟୟନରତ ଥିଲେ । ଟାଉନ୍ ଥାନା ପୋଲିସ ଛାତ୍ରୀଙ୍କ ମୃତ ଦେହକୁ ଜବତ କରିଥିବାବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ପୋଲିସ ହଷ୍ଟେଲ୍ ଯାଞ୍ଚ ଆରମ୍ଭ କରିଛି ।