ଗଜପତି : ପୁଣି ଭିଜିଲାନ୍ସ ଜାଲରେ ପଡିଲେ ସରକାରୀ ବାବୁ । ୨୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଗଜପତି ସିଡିଏମଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକ । ଜୁନିୟର ଡାକ୍ତର ପୋଷ୍ଟିଂ ପାଇଁ ପିଅନ ନିରଞ୍ଜନଙ୍କ ମାଧ୍ୟମରେ ଜଗଦୀଶ ଲାଞ୍ଚ ନେଉଥିଲେ । ସିଡିଏମଓ କାର୍ଯ୍ୟାଳୟ ସମେତ ଜଗଦୀଶଙ୍କ ସରକାରୀ ବାସଭବନ ଓ ପିଅନ ନିରଞ୍ଜନଙ୍କ ମଣ୍ଡଳଦେବୀ ସ୍ଥିତ ବାସଭବନରେ ଭିଜିଲାନ୍ସର ଚଢାଉ ଜାରି ରହିଛି ।
DSP ଶରତ ଚନ୍ଦ୍ର ସାହୁଙ୍କ ନେତୃତ୍ବରେ ରାଜେନ୍ଦ୍ର ନାୟକ,ଡି ବାସୁଦେବ ରାଓ ଇନ୍ସପେକ୍ଟର ସହ ୧୨ ଜଣିଆ ଟିମ୍ ନିୟୋଜିତ ଅଛନ୍ତି। ଉଭୟଙ୍କ ୨ଟି ସ୍ଥାନରେ ରେଡ କରାଯାଇଛି । ଜଗଦୀଶଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରୁ ୫ଲକ୍ଷ ରୁ ଅଧିକ ନଗଦ ଟଙ୍କା ଓ କିଛି ରୂପା ଗହଣା ମିଳିଛି । ଚଢାଉ ସରିବା ପରେ ପ୍ରକୃତ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ଅଧିକାରୀ କହିଛନ୍ତି।
ସୂଚନା ଅନୁସାରେ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନିଯୁକ୍ତି ସମ୍ପର୍କିତ ଚିଠି ଦେବାକୁ ବରିଷ୍ଠ କିରାଣୀ ଓ ପିଅନ ଯୁବ ଡାକ୍ତରଙ୍କୁ ୨୫ ହଜାର ଟଙ୍କା ଲାଞ୍ଚ ଦେବାକୁ କହିଥିଲେ । ଏନେଇ ସେ ଭିଜିଲାନ୍ସ ନିକଟରେ ଅଭିଯୋଗ କରିଥିଲେ । ଏହା ପରେ, ଭିଜିଲାନ୍ସ ଅଧିକାରୀମାନେ ଆଜି ପାରଳାଖେମୁଣ୍ଡି ସିଡିଏମଓ କାର୍ଯ୍ୟାଳୟରେ ପହଞ୍ଚି ଲାଞ୍ଚ ନେଉଥିବା ବେଳେ ବରିଷ୍ଠ କିରାଣୀ ଜଗଦୀଶ ପଟ୍ଟନାୟକ ଓ ପିଅନ ନିରଞ୍ଜନ ନାୟକଙ୍କୁ ଧରିଥିଲେ ।