ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟରେ ୭ଟି ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଅନୁମୋଦିତ ହୋଇଛି । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା, ଆଦର୍ଶ ମଣ୍ଡି, ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ଓ ସମ୍ବଲପୁରରେ ଜଳ ପ୍ରକଳ୍ପକୁ ଆଦି ଅନୁମୋଦନ ମିଳିଛି । କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୂଜା ସୂଚନା ଦେଇଛନ୍ତି ।
ଲୋକ ସେବା ଭବନରେ ଆହୁତ କ୍ୟାବିନେଟରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ଏହିପରି ମୋଟ ୭ଟି ପ୍ରସ୍ତାବ ଆଗତ ପୂର୍ବକ ସମସ୍ତ ପ୍ରସ୍ତାବ କ୍ୟାବିନେଟ ବୈଠକ ରେ ପାରିତ ହୋଇଛି । ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରସ୍ତାବକୁ ସ୍ୱୀକୃତି ମିଳିଛି । ସଂଗ୍ରାହଳୟଗୁଡ଼ିକର ସୁପରିଚାଳନା ଓ ସମନ୍ୱୟ ପାଇଁ ସ୍ଥାପନ ହୋଇଥିବା ଏକ ସ୍ୱତନ୍ତ୍ର ନିର୍ଦ୍ଦେଶାଳୟର ପରିଚାଳନା ନିମନ୍ତେ କ୍ୟାଡର୍ ନିଯୁକ୍ତି ପାଇଁ ଆସିଥିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ ୩୯ ଜଣ ନିଯୁକ୍ତି ପାଇବେ । ଯାହାକି ପୂର୍ବରୁ ୧୭ ଟି ପଦବୀ ଥିଲା । ଜଣେ ଓଏଏସ କିମ୍ବା ଆଇଏଏସ୍ ସ୍ତରର ଅଧିକାରୀ ଏହାର ପରିଚାଳନା ଦାୟିତ୍ୱରେ ରହିବେ ।
ସେହିପରି ସମବାୟ ବିଭାଗ ପକ୍ଷରୁ ଆସିଥିବା ଆଦର୍ଶ ମଣ୍ଡି ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ପ୍ରାଥମିକ ପର୍ଯ୍ୟାୟରେ ରାଜ୍ୟରେ ୩୮ଟି ମଣ୍ଡିକୁ ଆଦର୍ଶ ମଣ୍ଡି ବା ମଡେଲ ମଣ୍ଡି କରାଯିବ । ପ୍ରତ୍ୟେକ ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ଆଦର୍ଶ ମଣ୍ଡି ରହିବ । ଏଥିପାଇଁ ୩୦୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି । ଦୁଇଟି ପର୍ଯ୍ୟାୟରେ ଅନୁଦାନ ମିଳିବ । ଏଥିରେ ଚାଷୀଙ୍କ ପାଇଁ ବିଶ୍ରାମ ଗୃହ, ଶୋଚାଳୟ, କ୍ୱାଲିଟି ଟେଷ୍ଟିଂ ଆଦି ବ୍ୟବସ୍ଥା ରହିବ ।
ସେହିପରି ଅର୍ଥ ବିଭାଗ ଦ୍ୱାରା ଆସିଥିବା ରାଜ୍ୟ ଅମଲା ସଂଘର ନିୟମାବଳୀ ସମ୍ପର୍କିତ ସଂଶୋଧିତ ପ୍ରସ୍ତାବକୁ ଅନୁମୋଦନ ମିଳିଛି ।
ଅନ୍ୟପକ୍ଷରେ ଗ୍ରାମ୍ୟ ଓ ନଗର ଉନ୍ନୟନ ବିଭାଗରେ ପକ୍ଷରୁ ଆସିଥିବା ଯୋଡ଼ିଏ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ରାଜ୍ୟରେ ୧୧୦ଟି ସହରରେ ଏଲଇଡି ଲାଗିବ । ଗ୍ରୀନ୍ ଫିଲ୍ଡ ଓ ରେଟ୍ରୋ ଫିଟି ଜରିଆରେ କାମ ହେବ । ଏଥିପାଇଁ ୩୫୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ସମ୍ବଲପୁରରେ ୨୪ ଘଣ୍ଟିଆ ପାଣି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଏଥିପାଇଁ ଆସିଥିବା ଟେଣ୍ଡରକୁ ଅନୁମୋଦନ ମିଳିଛି ।
ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆଗତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ରକ୍ଷଣାବେକ୍ଷଣା ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବନ୍ଦରରେ ବିମାନର ରକ୍ଷଣାବେକ୍ଷଣ, ମରାମତି ଓ ନବୀକରଣ କାର୍ଯ୍ୟକାରୀ କରିବା ପାଇଁ ଶିଳ୍ପ ନୀତି, ୨୦୨୨ ସଂକଳ୍ପ ଦାନ ପ୍ରସ୍ତାବକୁ କ୍ୟାବିନେଟ ଦ୍ଵାରା ଅନୁମୋଦନ କରାଯାଇଛି । ଏଥିପାଇଁ ପୂର୍ବରୁ ୩୦ ପ୍ରତିଶତ ସବସିଡି ପ୍ରଦାନ କରାଯାଉଥିବାବେଳେ ବର୍ତ୍ତମାନ ଏହାକୁ ୪୦ ପ୍ରତିଶତକୁ ବୃଦ୍ଧି କରାଯାଇଛି ।
ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ଦ୍ୱାରା ଆସିଥିବା ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି । ରାଜ୍ୟରେ ଆଉ ୭ ଟି ସରକାରୀ ନର୍ସିଂ କଲେଜ ପ୍ରତିଷ୍ଠା ହେବ । ବର୍ତ୍ତମାନ ରାଜ୍ୟରେ ୮ଟି ନର୍ସିଂ କଲେଜ ଚାଲୁଥିବାବେଳେ ୨୧ଟି ଏଏନ୍ଏମ୍ ପ୍ରଶିକ୍ଷଣ କେନ୍ଦ୍ର ଚାଲୁଛି । ସଠିକ୍ ଭାବେ ନର୍ସିଂ ଶିକ୍ଷାଦାନ ପାଇଁ ନୂତନ ଓଡ଼ିଶା ନର୍ସିଂ ଏଜୁକେସନ୍ ସର୍ଭିସ୍ ମେଥଡ୍ ଅଫ୍ ରିକ୍ର୍ୟୁଟମେଣ୍ଟ ଆଣ୍ଡ୍ କଣ୍ଡିସନ ଅଫ୍ ସର୍ଭିସ୍-୨୦୨୫ ପ୍ରସ୍ତାବ ପାରିତ ହୋଇଛି ।