ମୟୁରଭଞ୍ଜ: କଲେଜରେ ବୁଲିଛି ଛୁରି । ମୟୁରଭଞ୍ଜ ଜିଲ୍ଲା କୁଳିଅଂଣା ଥାନା ଅନ୍ତର୍ଗତ ବାଇଗଣବାଡ଼ିଆ ବି.ବି ମହାବିଦ୍ୟାଳୟରେ ଜଣେ ଛାତ୍ର ଅନ୍ୟ ଜଣଙ୍କୁ ଛୁରା ମାଡ଼ କରିଥିବା ଜଣାପଡ଼ିଛି । ଗୁରୁତର ଛାତ୍ର ଜଣକ ହେଲେ ପ୍ରହଲ୍ଲାଦ ବିନ୍ଧାଣି । ସେ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଦ୍ୱିତୀୟ ବର୍ଷ ଛାତ୍ର । ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଭିଯୁକ୍ତ ଛାତ୍ର ଜଣକ ହେଲେ ଯୁକ୍ତ ଦୁଇ କଳା ବିଭାଗର ଦ୍ୱିତୀୟ ବର୍ଷର ଛାତ୍ର ।
କୁଳିଅଣା ଥାନା ଅଧିକାରୀ ପ୍ରକାଶ ଗୋସ୍ୱାମୀଙ୍କ ସୂଚନା ମୁତାବକ, ପ୍ରେମ ବ୍ୟାପରକୁ କେନ୍ଦ୍ର କରି ଏହି ଛୁରା ମାଡ଼ କରାଯାଇଛି । ଯୁକ୍ତ ଦୁଇ କଳା ବିଭାଗରେ ପଢ଼ୁଥିବା ଛାତ୍ର ଜଣେ ଛାତ୍ରୀଙ୍କୁ ପ୍ରେମ କରୁଥିଲେ । ସମ୍ପର୍କ ଭାଙ୍ଗିଯିବା ପରେ ଉକ୍ତ ଛାତ୍ରୀ ଜଣକ ଯୁକ୍ତ ଦୁଇ ବାଣିଜ୍ୟ ବିଭାଗର ଆଉ ଜଣକ ସହିତ ବନ୍ଧୁତା କରିଥିଲେ । ଫଳରେ ଉକ୍ତ ଛାତ୍ର ଜଣକ ଉତ୍ତ୍ୟକ୍ତ ହୋଇ ଆଜି ଶ୍ରେଣୀ ଗୃହରେ ପ୍ରହଲ୍ଲାଦକୁ ଛୁରିରେ ଆକ୍ରମଣ କରିଥିଲା । ପ୍ରହଲ୍ଲାଦଙ୍କ ପେଟରେ ଛୁରିଟି ଲାଗିଥିଲା । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ବାରିପଦା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା । ଏହା ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସସିବି ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।
କଲେଜ କର୍ତ୍ତୃପକ୍ଷ ଏ ନେଇ କୁଳିଅଣା ଥାନାକୁ ଖବର ଦେଇଥିଲେ । ପୋଲିସ କଲେଜରେ ପହଁଛି ଅଭିଯୁକ୍ତ ଛାତ୍ରକୁ ଅଟକ ରଖି ପଚରାଉଚରା କରୁଛି । ସେପଟେ ଉତ୍ତ୍ୟକ୍ତ ଗ୍ରାମବାସୀ କଲେଜ ପହଁଚି ଗେଟରେ ତାଲା ପକାଇ ଦେଇଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ଉତ୍ପନ୍ନ ହେବା ଆଶଙ୍କାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ କରାଯାଇଛି ।