ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ପ୍ରାୟ ୫୦ରୁ ଅଧିକ ଫଳ ଦୋକାନ ଜଳିଯାଇଛି। ଦୋକାନ ସମେତ ବହୁ ଟଙ୍କାର ଫଳ ମଧ୍ୟ ପୋଡ଼ି ନଷ୍ଟ ହୋଇଯାଇଛି। ପ୍ରାୟ ୧ କୋଟି ଟଙ୍କାର ଫଳ ପୋଡ଼ିଯାଇଥିବା ଅନୁମାନ କରାଯାଉଛି।
ସୂଚନା ମୁତାବିକ, ଅଳିଆ ଗଦାରୁ ନିଆଁ ଲାଗି ସଂମ୍ପୁର୍ଣ୍ଣ ଫଳବଜାର ଜଳିଯାଇଛି। ଆଖି ପିଛୁଲାକେ ଚାରିଆଡେ ନିଆଁ ବ୍ୟାପିଯାଇଥିଲା। ଗୋଟିଏ କି ଦୁଇଟି ନୁହେଁ ପୁରା ଫଳବଜାର ନିଆଁରେ ଧ୍ବଂସ ହୋଇଯାଇଛି। ଫଳଦୋକାନୀ ମାନେ ପ୍ଲାଷ୍ଟିକ କ୍ୟାରେଟ,ହାଲୁକା କାଠ ଫଳ ପେଟି ଓ ବାଉଁଶ ଚାଳ ଫଳଦୋକାନରେ ରଖିଥିବାରୁ କ୍ଷଣିକ ମଧ୍ୟରେ ଏହା ଜଳିଯାଇଥିଲା। ନିଆଁ ଲାଗିବା ପରେ ଦୋକାନୀ ମାନେ ଜୀବନ ବିକଳରେ ବାହାରକୁ ଦୌଡି ପଳାଇଥିଲେ। ଅଗ୍ନିକାଣ୍ଡରେ ଫଳ ବଜାରରେ ଥିବା ଟନ୍ ଟନ୍ ଫଳ ନିଆଁରେ ଜଳିଯାଇଛି। ଖବର ପାଇ ୨ଟି ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ। ହେଲେ କ୍ଷୟକ୍ଷତିକୁ ରୋକାଯାଇପାରି ନ ଥିଲା।