ନୂଆଦିଲ୍ଲୀ: ପ୍ରାଇଭେଟ୍ ସେକ୍ଟରର ବ୍ୟାଙ୍କ ଆଇସିଆଇସିଆଇ ବ୍ୟାଙ୍କ ଜନତାଙ୍କ ପ୍ରବଳ ବିରୋଧ ପରେ ସହରାଞ୍ଚଳରେ ନୂଆ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ହାରାହାରି ବାଲାନ୍ସ ହ୍ରାସ କରିଛି । ବ୍ୟାଙ୍କ ଏହାକୁ ଆଂଶିକ ଭାବେ ୫୦ ହଜାର ଟଙ୍କାରୁ ହ୍ରାସ କରି ୧୫ ହଜାର ଟଙ୍କା କରିଛି । ଗ୍ରାହକଙ୍କ ତୀବ୍ର ବିରୋଧ ଆଗରେ ଶେଷରେ ବ୍ୟାଙ୍କକୁ ମୁଣ୍ଡ ନୁଆଇଁ ଏମିତି ନିଷ୍ପତ୍ତି ନେବାକୁ ପଡିଛି ।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ଦେଶର ଦ୍ୱିତୀୟ ସବୁଠୁ ବଡ ପ୍ରାଇଭେଟ୍ ବ୍ୟାଙ୍କ ଆଇସିଆଇସିଆଇ ସହରାଞ୍ଚଳରେ ନୂତନ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୧୦ ହଜାର ଟଙ୍କାରୁ ବଢାଇ ୫୦ ହଜାର ଟଙ୍କା କରିଥିଲା । ନୂଆ ପରିବର୍ତ୍ତନ ପରେ ବି ସର୍ବନିମ୍ନ ବାଲାନ୍ସ ସୀମା ୫ ହଜାର ଟଙ୍କା ଅଧିକ ରହିଛି ।
ଏହା ବ୍ୟତୀତ ବ୍ୟାଙ୍କ ସେମି ଅର୍ବାନ ଅଞ୍ଚଳରେ ନୂତନ ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୨୫ ହଜାର ଟଙ୍କାରୁ ହ୍ରାସ କରି ୭ ହଜାର ୫୦୦ ଟଙ୍କା କରିଛି । ଗ୍ରାମାଞ୍ଚଳ ଏବଂ ସେମି ଅର୍ବାନ ଅଞ୍ଚଳରେ ପୁରୁଣା ଗ୍ରାହକଙ୍କ ପାଇଁ ସର୍ବନିମ୍ନ ବାଲାନ୍ସ ୫ ହଜାର ଟଙ୍କାରେ ସ୍ଥିର ରହିଛି । ସାଲାରୀ ଆକାଉଣ୍ଟ, ପ୍ରଧାନମନ୍ତ୍ରୀ ଜନଧନ ଖାତା ଓ ବେସିକ ସେଭିଙ୍ଗସ ବ୍ୟାଙ୍କ ଡିପୋଜିଟ୍ ଆକାଉଣ୍ଟଧାରୀଙ୍କୁ ଏହି ନିୟମରୁ କୋହଳ ରଖା ଯାଇଛି । କାରଣ ଏସବୁ ଜିରୋ ବାଲାନ୍ସର ଖାତା ।