ଭୁବନେଶ୍ୱର: ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗରେ ସଂଘକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ କଡ଼ା ଚେତାବନୀ ଦେଇଛନ୍ତି। ଆନ୍ଦୋଳନରୁ ନ ଓହରିଲେ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ବିନା ସ୍ବୀକୃତିରେ ଛୁଟିରେ ରହିଲେ ଦରମା ବନ୍ଦ ହେବ ।
ସୁରେଶ ପୂଜାରୀ କହିଛନ୍ତି, ଅମଲାଙ୍କ ବିନା ଲୋକଙ୍କ ପାଖରେ ରାଜସ୍ବ ସେବା ପହଞ୍ଚାଇବା ପାଇଁ ସରକାର ପ୍ରସ୍ତୁତ। ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ। ସେମାନଙ୍କ କ୍ୟାଡର ପୁର୍ନଗଠନ ନେଇ ସାଧାରଣ ପ୍ରଶାସନ ବିଭାଗକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟିରେ ଯିବା ଗ୍ରହଣୀୟ ନୁହେଁ। ଛୁଟି ବାତିଲ କରିବାକୁ ଜିଲ୍ଲପାଳଙ୍କୁ ନିର୍ଦେଶ ଯାଇଛି । ଅନ୍ୟମାନଙ୍କୁ ଛୁଟି ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି ରାଜସ୍ବମନ୍ତ୍ରୀ ।
ସେ ଆହୁରି ମଧ୍ୟ କହିଛନ୍ତି, ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। କ୍ୟାଡର ପୁନର୍ଗଠନ ଦାବି ଆମ ବିଭାଗର ନୁହେଁ। ତଥାପି ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ସମୂହ ଛୁଟିରୁ ଓହରିବାକୁ ମୁଁ ନିବେଦନ କରୁଛି। ଅନ୍ୟପଟେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି । ପ୍ରତିବାଦରେ ବସିବା ପାଇଁ ଛୁଟି ଦିଆଯିବ ନାହିଁ ବୋଲି କହିଛନ୍ତି ।