ଭୁବନେଶ୍ୱର: ଗନ୍ଧମାର୍ଦ୍ଦନ ଲୋଡ଼ିଂ ଏଜେନ୍ସିର ଆର୍ଥିକ ହେରଫେର ମାମଲାରେ ବିଜେଡ଼ି ନେତା ରାଜା ଚକ୍ରଙ୍କୁ ହାଇକୋର୍ଟରୁ ଶକ୍ତ ଝଟକା ଲାଗିଛି । ରାଜାଙ୍କ ଜାମିନ ଆବେଦନକୁ ନାମଞ୍ଜୁର କରିଛନ୍ତି ମାନ୍ୟବର ଉଚ୍ଚ ଅଦାଲତ । ଏହା ସହିତ ରାଜାଙ୍କ ୩ ସହଯୋଗୀ ମାନସ ବାରିକ, ଉତ୍କଳ ଦାସ ଓ ସୁଶାନ୍ତ ସାମଲଙ୍କ ଜାମିନ ଆବେଦନ ଖାରଜ ହୋଇଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ରାଜା ଚକ୍ରଙ୍କ ବିଳାସମୟ ଫାର୍ମହାଉସକୁ ବାଜ୍ୟାପ୍ତି କରାଯିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲ୍ୟୁ) ଫାର୍ମହାଉସକୁ ସିଲ୍ କରିଛି । ଫାର୍ମହାଉସର ୧୧ ଦଶମିକ ୧ ଏକର ଜମିରୁ ମାତ୍ର ସାଢ଼େ ୩ ଏକର ଜମିକୁ ବାଦ ଦେଲେ ବାକି ୭ ଦଶମିକ ୬ ଏକର ସରକାରୀ ଜମିରେ ବିଶାଳ ଫାର୍ମହାଉସ ତିଆରି ହୋଇଥିବା ଇଓଡବ୍ଲ୍ୟୁ ତଦନ୍ତରେ ଜାଣିବାକୁ ପାଇଛି । ଏହି ଜମିରେ ଗେଟ୍, ଆମ୍ବ ବଗିଚା, ଶିଶୁ ଉଦ୍ୟାନ ଓ ଗାଡ଼ିଆ ଇତ୍ୟାଦି ରହିଛି । ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଜମି ମାପଚୁପ ଆରମ୍ଭ କରାଯାଇ ଫାର୍ମହାଉସକୁ ସିଲ୍ କରାଯାଇଛି । ଏ ନେଇ ସୂଚନା ଦେଇଛନ୍ତି ଇଓଡବ୍ଲ୍ୟ ଏସପି ଦିଲ୍ଲୀପ ତ୍ରିପାଠୀ ।
ସୂଚନାଯୋଗ୍ୟ, କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଶୁଆକାଟିସ୍ଥିତ ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସିରେ ବ୍ୟାପକ ଆର୍ଥିକ ଅନିୟମତତା ହୋଇଥିବା ନେଇ ସଂସ୍ଥାର ତତ୍କାଳୀନ ସଭାପତି ଓ ସମ୍ପାଦକଙ୍କୁ ଗିରଫ କରିଥିଲା ଇଓଡବ୍ଲ୍ୟୁ । ପରେ ଏଥିରେ ସମ୍ପୃକ୍ତି ଅଭିଯୋଗରେ ବିଜେଡି ନେତା ରାଜା ଚକ୍ରଙ୍କୁ ଗିରଫ କରାଯାଇଥିଲା।୪ ବର୍ଷରେ ଗାଁ ଲୋକଙ୍କୁ ରାଜା ୩୩ କୋଟି ଟଙ୍କା ବାଣ୍ଟିଥିବା ତଦନ୍ତରୁ ଜଣାପଡ଼ିଥିଲା । ମା’ କାଳୀ ନାମକ ଏକ ପ୍ରେଟ୍ରୋଲ ପମ୍ପକୁ ୯.୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଶ୍ରମିକମାନଙ୍କ ମଜୁରୀ ବାବଦରେ ଆସିଥିବା ଟଙ୍କାକୁ ମଧ୍ୟ ହଡ଼ପ କରିଛନ୍ତି ।