ନୂଆଦିଲ୍ଲୀ: ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ବିରୁଦ୍ଧରେ ଭାରତ ଦ୍ୱାରା ଆରମ୍ଭ ହୋଇଥିବା ଅପରେସନ ସିନ୍ଦୁର ସମୟରେ ପାକିସ୍ତାନକୁ ସମର୍ଥନ କରିତିଲେ ତୁର୍କୀ ଏବଂ ଆଜରବାଇଜାନ। ଏପରିକି ସଂଘର୍ଷ ସମୟରେ ଖୋଲାଖୋଲି ଭାବରେ ପାକିସ୍ତାନକୁ ସାହାଯ୍ୟ କରିଥିଲେ ଏହି ଦୁଇ ଦେଶ। ଏହାର ଜବାବରେ ଭାରତୀୟ ପର୍ଯ୍ୟଟକ ଏବଂ ଟୁର୍ ଅପରେଟରମାନେ ତୁର୍କୀ ଓ ଆଜରବେଇଜାନ ରୁଟ୍ ବାତିଲ କରିବାରେ ଲାଗିଛନ୍ତି।
ଏବେ ଏହି ଦେଶକୁ ଭ୍ରମଣ ପାଇଁ ଯିବା ପରିବର୍ତ୍ତେ, ପର୍ଯ୍ୟଟକମାନେ ନିଜ ଦେଶରେ ଦକ୍ଷିଣ ଏବଂ ଉତ୍ତର-ପୂର୍ବ ଭାରତ ପର୍ଯ୍ୟଟନ ସ୍ଥଳ ବୁଲିବାକୁ ପସନ୍ଦ କରୁଥିବା ଦେଖା ଦେଇଛି। ତଥାପି, ଯାତ୍ରୀଙ୍କୁ ମହଙ୍ଗା ବିମାନ ସେବା ଏବଂ ମହଙ୍ଗା ହୋଟେଲ ସେମାନଙ୍କ ପାଇଁ ପ୍ରତିବନ୍ଧକ ପାଲଟିଛି।
ଶୀର୍ଷ ଶିଳ୍ପପତି ଏବଂ RPG ଏଣ୍ଟରପ୍ରାଇଜେସ୍ ଅଧ୍ୟକ୍ଷ ହର୍ଷ ଗୋଏଙ୍କା ଅପରେସନ୍ ସିନ୍ଦୁର ସମୟରେ ତୁର୍କୀ ଏବଂ ଆଜରବେଇଜାନର ଆଭିମୁଖ୍ୟକୁ ଘୋର ନିନ୍ଦା କରିଛନ୍ତି। ସେ କହିଛନ୍ତି ଭାରତୀୟମାନେ ଗତ ବର୍ଷ ତୁର୍କୀ ଏବଂ ଆଜରବେଇଜାନକୁ ୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ବ୍ୟବସାୟ ଦେଇଛନ୍ତି। ଏହା ସେମାନଙ୍କର ଅର୍ଥନୀତିକୁ ସୁଦୃଢ଼ କରିବାରେ ବେଶ ସହାୟକ ହୋଇଛି। କିନ୍ତୁ ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଏହି ଉଭୟ ଦେଶ ପାକିସ୍ତାନ ସହିତ ଛିଡା ହେବା ଭାରତୀୟଙ୍କୁ ମର୍ମାହତ କରିଛି।
ବରିଷ୍ଠ ବ୍ୟବସାୟୀ ହର୍ଷ ଗୋଏଙ୍କାଙ୍କ ମତରେ ଭାରତ ଏବଂ ବିଶ୍ୱର ଅନ୍ୟାନ୍ୟ ଦେଶରେ ସୁନ୍ଦର ପର୍ଯ୍ୟଟନ ସ୍ଥଳୀର ଅଭାବ ନାହିଁ। ଭାରତୀୟମାନେ ଏବେ ଏହି ଦୁଇଟି ଦେଶକୁ ବୁଲିଯିବା ଉଚିତ୍ ନୁହେଁ। ଦେଶର ଅନେକ ଶ୍ରେଷ୍ଠ ପର୍ଯ୍ୟଟନ କମ୍ପାନୀ ଗୋଏଙ୍କାଙ୍କ ଆହ୍ୱାନକୁ ଗମ୍ଭୀରତାର ସହ ନେଉଥିବା ପରି ମନେ ହେଉଛି।
ମୁମ୍ବାଇ ସ୍ଥିତ ଟୁର କମ୍ପାନୀ KMC ହଲିଡେଜ୍ ଆଣ୍ଡ୍ ଅଫଶୋର୍ ପ୍ରାଇଭେଟ୍ ଲିମିଟେଡ୍ର ପ୍ରତିଷ୍ଠାତା ଏବଂ ନିର୍ଦ୍ଦେଶକ କିରଣ ଭୋଇର କହିଛନ୍ତି ଯେ ଅପରେସନ୍ ସିନ୍ଦୂର ପରେ, ଲୋକମାନେ ନିଜେ ତୁର୍କୀ ଏବଂ ଆଜରବାଇଜାନକ ଭ୍ରମଣର ବୁକିଂ ବାତିଲ କରିବାକୁ ଆସୁଛନ୍ତି। ଭୋଇରଙ୍କ ଅନୁଯାୟୀ, ଏହି ଦୁଇ ଦେଶର ଅନେକ ପର୍ଯ୍ୟଟସ୍ଥଳୀ ରହିଛି ଯାହା ଜଣେ ମଧ୍ୟବିତ୍ତ ଭାରତୀୟ ସୁଲଭ ଦରରେ ଭ୍ରମଣ କରି ପାରିବ। ତେଣୁ ଗତ କିଛି ବର୍ଷ ମଧ୍ୟରେ ଏହି ଦେଶଗୁଡ଼ିକୁ ଭାରତୀୟ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଇଥିଲା, କିନ୍ତୁ ସାମ୍ପ୍ରତିକ ଘଟଣାବଳୀ ଯୋଗୁଁ ଲୋକମାନେ ଏବେ ସେଠାକୁ ଯିବା ପରିବର୍ତ୍ତେ ଅନ୍ୟ ଦେଶ ବୁଲି ଯିବାକୁ ଉଚିତ୍ ମନେ କରିଛନ୍ତି।
ଟୁର୍ ଏବଂ ଟ୍ରାଭେଲ୍ କମ୍ପାନୀ ମେକମାଇଟ୍ରିପର ମୁଖପାତ୍ର କହିଛନ୍ତି ଯେ ଗତ ସପ୍ତାହରେ ତୁର୍କୀ ଏବଂ ଆଜରବାଇଜାନ ପାଇଁ ବୁକିଂ ୬୦ ପ୍ରତିଶତ ହ୍ରାସ ପାଇଛି। ଆଗୁଆ ବୁକିଂ ବାତିଲ ହାର ୨୫୦ ପ୍ରତିଶତ ରହିଛି। କମ୍ପାନୀ କହିଛି ଯେ ଏବେ ପର୍ଯ୍ୟଟକମାନଙ୍କୁ ଏହି ଦୁଇଟି ଦେଶକୁ ଯିବାରୁ ନିରୁତ୍ସାହିତ କରିଛି। ଦେଶର ଆଉ ଏକ ବଡ଼ ଟୁର୍ କମ୍ପାନୀ ଇଜି ମାଇ ଟ୍ରିପ୍ର ସହ-ପ୍ରତିଷ୍ଠାତା ପ୍ରଶାନ୍ତ ପିଟି ମଧ୍ୟ ପର୍ଯ୍ୟଟକମାନଙ୍କୁ ତୁର୍କୀ ଏବଂ ଆଜରବାଇଜାନକୁ ସମ୍ପୂର୍ଣ୍ଣ ବୟକଟ କରି ଗ୍ରୀସ୍ ଏବଂ ଆର୍ମେନିଆ ଭଳି ଅନ୍ୟ ଦେଶକୁ ଯିବାକୁ ଉତ୍ସାହିତ କରିଛନ୍ତି।