ଭୁଜ: ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍ଏଫ୍) ଆତଙ୍କବାଦୀଙ୍କୁ ପାଳୁଥିବା ପାକିସ୍ତାନକୁ ଋଣ ଦେବାକୁ ସହମତି ପ୍ରକାଶ କରିବାକୁ ନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କ୍ଷୋଭ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ୧ ବିଲିୟନ୍ ଡଲାର ଦେବା ନିଷ୍ପତ୍ତିକୁ ଆଇଏମ୍ଏଫ୍ ପୁନର୍ବିଚାର କରୁ ବୋଲି ପରାମର୍ଶ ଦେଇଛନ୍ତି ରାଜନାଥ ସିଂହ । ଭାରତ ଚାହୁଁନାହିଁ ଯେ ଆମେ ଆଇଏମ୍ଏଫ୍କୁ ଯେଉଁ ପାଣ୍ଠି ଦେଉଛୁ ତାହା ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶରେ ଆତଙ୍କବାଦୀ ଭିତ୍ତିଭୂମି ସୃଷ୍ଟି କରିବା ପାଇଁ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ବ୍ୟବହାର କରାଯାଉ ବୋଲି ଭୁଜ ବାୟୁସେନା ଏୟାରବେସ ଗସ୍ତରେ ଥିବା ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ।
ଅପରେସନ ସିନ୍ଦୂର ପରେ ଜମ୍ମୁ କାଶ୍ମୀର ଗସ୍ତ ପରେ ଗୁଜରାଟ ଭୁଜ ବାୟୁସେନା ଏୟାରବେସ୍ ଗସ୍ତ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀ ବାୟୁସେନାର ବୀରତ୍ୱ ଓ ସଫଳତାକୁ ଭୁରି ଭୁରି ପ୍ରଶଂସା କରିଛନ୍ତି । ଅପରେସନ୍ ସିନ୍ଦୂର ସମୟରେ ବାୟୁସେନା ଯାହା କିଛି କରିଛି, ସମଗ୍ର ଦେଶକକୁ ଗୌରବାନ୍ୱିତ କରିଛି । ପାକିସ୍ତାନରେ ବଢ଼ୁଥିବା ଆତଙ୍କବାଦୀଙ୍କୁ ଦଳିମକଚି ଦେବାକୁ ଭାରତୀୟ ବାୟୁ ସେନା ପାଇଁ ମାତ୍ର ୨୩ ମିନିଟ୍ ପର୍ଯ୍ୟାପ୍ତ ଥିଲା । ଯେତିକି ସମୟରେ ଲୋକମାନେ ଚା, ପାଣି, ଜଳଖିଆ କରନ୍ତି ସେତିକି ସମୟରେ ସେନା ଶତ୍ରୁର କାମ ତମାମ କରିଦେଲା ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଶତ୍ରୁର ସୀମାରେ ପଶି ମିସାଇଲ୍ ମାଡ଼ କଲେ, ତାହାର ଗୁଞ୍ଜରଣ ସାରା ଦୁନିଆକୁ ଶୁଭାଗଲା । ଏ ଗୁଞ୍ଜରଣ କେବଳ ମିସାଇଲର ନ ଥିଲା ବରଂ ଗୁଞ୍ଜରଣ ଆପଣଙ୍କ ବୀରତ୍ୱ ଏବଂ ଭାରତର ପରାକ୍ରମର ଥିଲା ।
ଭାରତୀୟ ବାୟୁସେନା ପାଇଁ ୨୩ ମିନିଟ୍ ପର୍ଯ୍ୟାପ୍ତ ସମୟ
ବ୍ରହ୍ମୋସ୍ ପାକିସ୍ତାନ ଅନ୍ଧାର ରାତିକୁ ଉଜ୍ଜ୍ୱଳ କରିଦେଲା
ସିନ୍ଦୁର ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ, ସାହସର ପ୍ରତୀକ
ଆତଙ୍କବାଦୀଙ୍କ କପାଳରେ ଟଣା ହେଲା ବିପଦର ନାଲି ରେଖା
'ଅପରେସନ୍ ସିନ୍ଦୂର' ଏପର୍ଯ୍ୟନ୍ତ ଶେଷ ହୋଇନାହିଁ
ଯାହା ଦେଖିଲେ ଟ୍ରେଲର୍ ଥିଲା, ସମ୍ପର୍ଣ୍ଣ ଚଳଚ୍ଚିତ୍ର ବାକି ଅଛି
ପ୍ରତିରକ୍ଷା ମନ୍ତ୍ରୀ ପାକିସ୍ତାନକୁ ନିଶାଣ କରି କହିଛନ୍ତି, ପାକିସ୍ତାନ କୋଣ ଅନୁକୋଣରେ ଭାରତୀୟ ବାୟୁସେନା ପହଁଚିଛି, ଏହା କୌଣସି ଛୋଟ କଥା ନୁହେଁ । ଭାରତର ଯୁଦ୍ଧ ବିମାନ ଶତ୍ରୁର ସୀମା ଅତିକ୍ରମ ନ କରି ତାଙ୍କର ପ୍ରତ୍ୟେକ କୋଣରେ ପ୍ରହାର କରିବାରେ ସକ୍ଷମ ହୋଇଛି, ଏହା ହେଉଛି ଆମର ସ୍ଥିତି । ବାୟୁ ସେନା କିପରି ପାକିସ୍ତାନରେ ଥିବା ଆତଙ୍କବାଦୀ ଆଡ୍ଡା, ଏୟାରବେସକୁ ଧ୍ୱଂସ କରିଛି, ଏହା ସାରା ବିଶ୍ୱ ଦେଖିଲା ।
କେବେଳ ବିଦେଶରୁ ଆମଦାନୀ ହେଉଥିବା ଯୁଦ୍ଧାସ୍ତ୍ର ଦ୍ୱାରା ଏହା ସମ୍ଭବ ହୋଇନାହିଁ । ବରଂ ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ର ଦ୍ୱାରା ମଧ୍ୟ ସମ୍ଭବ ହୋଇଛି । ମନ୍ତ୍ରୀ ବ୍ରହ୍ମୋସର ସଫଳତାକୁ ନେଇ ପାକିସ୍ତାନକୁ ତାତ୍ସସ୍ୟ କରି କହିଛନ୍ତି, କଥାରେ ଅଛି ଦିନରେ ତାରା ଦେଖାଇଦେବା, କିନ୍ତୁ ଭାରତରେ ନିର୍ମିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ପାକିସ୍ତାନର ଅନ୍ଧାର ରାତିକୁ ଉଜ୍ଜ୍ୱଳ କରିଦେଇଥିଲା । ସେହିପରି ଡିଆରଡିଓ ଦ୍ୱାରା ନିର୍ମିତ ଆକାଶ ଏବଂ ଅନ୍ୟ ରାଡାର୍ ସିଷ୍ଟମ୍ ମଧ୍ୟ ଗୁରୂତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି ।
ରାଜନାଥ ସିଂହ କହିଛନ୍ତି, ସେନା ଯେଉଁ ବୀରତ୍ୱ ଦେଖାଇଛି ଯେ ଏହା ହେଉଛି ସେହି ସିନ୍ଦୂର ଯାହା ଶ୍ରୀଙ୍ଗାର ପ୍ରତୀକ ନୁହେଁ ବରଂ ସାହସର ପ୍ରତୀକ । ଏହା ହେଉଛି ସେହି ସିନ୍ଦୂର ଯାହା ସୌନ୍ଦର୍ଯ୍ୟର ପ୍ରତୀକ ନୁହେଁ ବରଂ ସଂକଳ୍ପର ପ୍ରତୀକ । ଏହି ସିନ୍ଦୂର ହେଉଛି ବିପଦର ନାଲି ରେଖା ଯାହାକୁ ଭାରତ ଏବେ ଆତଙ୍କବାଦର କପାଳରେ ଟାଣି ଦେଇଛି ।
ରାଜନାଥ ସିଂହ ସ୍ପଷ୍ଟ କରିଛନ୍ତି ଯେ 'ଅପରେସନ୍ ସିନ୍ଦୂର' ଏପର୍ଯ୍ୟନ୍ତ ଶେଷ ହୋଇନାହିଁ । ଯାହା ବି ଘଟିଲା ତାହା କେବଳ ଏକ ଟ୍ରେଲର ଥିଲା । ଠିକ୍ ସମୟ ଆସିଲେ, ଆମେ ସମ୍ପୂର୍ଣ୍ଣ ଚଳଚ୍ଚିତ୍ର ଦେଖାଇବୁ ବୋଲି ପାକିସ୍ତାନକୁ କଡ଼ା ସନ୍ଦେଶ ଦେଇଛନ୍ତି ରାଜନାଥ ସିଂହ ।
ସମଗ୍ର ଦେଶବାସୀଙ୍କ ତରଫରୁ ପ୍ରତିରକ୍ଷା ମନ୍ତ୍ରୀ ସେନାର ବୀର ଯବାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ସେହି ମାର ଗର୍ଭକୁ ମଧ୍ୟ ପ୍ରଣାମ କରିଛନ୍ତି, ଯେଉଁ ଗର୍ଭରୁ ବୀର ଯବାନ ଜନ୍ମ ଦେଇଛନ୍ତି । ସେହି ପରିବାରକୁ ପ୍ରଣାମ କରିଛନ୍ତି, ଯେଉଁ ପରିବାର ସେମାନଙ୍କୁ ଲାଳନ ପାଳନ କରିଛନ୍ତି । ସରକାର ଏବଂ ଦେଶର ଲୋକମାନେ ପ୍ରତ୍ୟେକ କ୍ଷେତ୍ରରେ, ପ୍ରତ୍ୟେକ ପରିସ୍ଥିତିରେ ସେନା ସହିତ କାନ୍ଧକୁ କାନ୍ଧ ମିଳାଇ ଠିଆ ହୋଇଛନ୍ତି । ଏହି ସମଗ୍ର ଅଞ୍ଚଳରେ ଆତଙ୍କବାଦକୁ ସମ୍ପୂର୍ଣ୍ଣ ଭାବରେ ମୂଳୋତ୍ପାଟନ କରାଯିବ, ଯାହା ଫଳରେ ଭବିଷ୍ୟତରେ କେହି ଭାରତର ସାର୍ବଭୌମତ୍ୱ ବିରୁଦ୍ଧରେ ଆଖି ଉଠାଇବାକୁ ସାହସ କରିବେ ନାହିଁ ବୋଲି କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।