ଶ୍ରୀନଗର: ପହଲଗାମ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧ ଅଭିଯାନକୁ ଜୋରଦାର କରାଯାଇଛି । ଗତ ୪୮ ଘଣ୍ଟା ମଧ୍ୟରେ ସୋପିଆର କେଲର ଓ ପୁଲୱାମାର ତ୍ରାଲରେ ସୁରକ୍ଷାବାହିନୀଙ୍କ ଏନକାଉଣ୍ଟରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏ ନେଇ ଭାରତୀୟ ସେନା ଓ ଜମ୍ମ-କାଶ୍ମୀର ପୋଲିସର ମିଳିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ମେଜର୍ ଜେନେରାଲ୍ ଧନଞ୍ଜୟ ଯୋଶୀ ଏବଂ କଶ୍ମୀର ଜୋନ୍ ପୋଲିସ ଡିଜି ବିକେ ବିରଦୀ ।
ମେଜର୍ ଜେନେରାଲ ଯୋଶୀଙ୍କ ସୂଚନା ମୁତାବକ, ଏପ୍ରିଲ ୨୨ ପହଲଗାମ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ଆତଙ୍କବାଦୀ ବିରୋଧୀ ଅଭିଯାନକୁ ଜୋରଦାର କରାଯାଇ କିଛି ଅଞ୍ଚଳ ଉପରେ ତୀକ୍ଷଣ୍ ନଜର ରଖାଯାଇଥିଲା । ବରଫ ତରଳିବା ପରେ ଆତଙ୍କବାଦୀମାନେ ଉଚ୍ଚ ପାହାଡ଼କୁ ଚାଲିଯାଇଥିଲେ । ମେ ୧୨ ତାରିଖରେ କେଲାର ଉଚ୍ଚ ସ୍ଥାନରେ କିଛି ଆତଙ୍କବାଦୀଙ୍କ ଗତିବିଧି ନେଇ ସେନାକୁ ଗୁଇନ୍ଦା ସୂଚନା ମିଳିଥିଲା । ମେ ୧୩ ସକାଳେ ସେଠାରେ ପୂର୍ବରୁ ନିୟୋଜିତ ଥିବା ସୁରକ୍ଷାବାହିନୀ ନିଜର ସ୍ଥାନ ପରିବର୍ତ୍ତନ କରିଥିଲେ । ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟବେଳେ ୩ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଥିଲା । ସେହିପରି ଦ୍ୱିତୀୟ ଅପରେସନ୍ ତ୍ରାଲ ସୀମାବର୍ତ୍ତୀ ଗାଁରେ ହୋଇଥିଲା । ସୁରକ୍ଷାବାହିନୀ ସମ୍ପୂର୍ଣ୍ଣ ଗାଁକୁ ଘେରାବନ୍ଦୀ କରିଥିଲେ । ବିଭିନ୍ନ ଘରେ ଲୁଚି ରହିଥିବା ଆତଙ୍କବାଦୀମାନେ ସୁରକ୍ଷାବାହିନୀ ଉପରକୁ ଗୁଳି ଚାଳନା କରିଥିଲେ । ଏହି ଅପରେସନରେ ୩ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର୍ କରାଯାଇଥିଲା ।
ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଜୈଶ୍-ଏ-ମହମ୍ମଦର ସଦସ୍ୟ ଆସିଫ ଶେଖ୍, ଆମିର ନାଜିର ୱାନି, ୟୱାର ଏହସାନ, ଲସ୍କର କମାଣ୍ଡର ଶାହିଦ କୁଟ୍ଟେ, ଅଦନାନ ଶଫି ଏବଂ ଏହସାନ ଉଲ୍ ହକ୍ ଶେଖ୍ ଅନ୍ତର୍ଭୁକ୍ତ ଅଛନ୍ତି । ଶାହୀଦ କୁଟ୍ଟେ ଯିଏ ଦୁଇଟି ବଡ଼ ଆକ୍ରମଣରେ ସାମିଲ ଥିଲା । ଜର୍ମାନ୍ ପର୍ୟ୍ୟଟକଙ୍କ ଆକ୍ରମଣ ଘଟଣାରେ ସେ ଜଡ଼ିତ ରହିଥିଲା । ଏହି ଅପରେସନ୍ ସୁରକ୍ଷାବଳଙ୍କ ମଧ୍ୟରେ ଉପଯୁକ୍ତ ସହଯୋଗ ପାଇଁ ସମ୍ଭବ ହୋଇପାରିଲା ବୋଲି କହିଛନ୍ତି ସେନା ଅଧିକାରୀ ।