ତେଲେଙ୍ଗାନା: ଭାରତକୁ ଦର୍ଶନ କରିବାକୁ ଆସିଥିବା ମିସ୍ ୱାର୍ଲ୍ଡ ପ୍ରତିଯୋଗୀଙ୍କ ମନ୍ଦିର ଯିବା ପୂର୍ବରୁ ପାଦ ଧୋଇବାର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ପ୍ରକୃତରେ, ତେଲେଙ୍ଗାନାର ସ୍ଥାନୀୟ ମହିଳାମାନେ ମନ୍ଦିରରେ ମିସ୍ ୱାର୍ଲ୍ଡ ପ୍ରତିଯୋଗୀମାନଙ୍କୁ ପାଦ ଧୋଇବାରେ ସାହାଯ୍ୟ କରୁଥିଲେ। ଏହି ଭିଡିଓ ସାମ୍ନାକୁ ଆସିବା ପରେ, ଏକ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି। କିଛି ଲୋକ ଏହାକୁ ଠିକ୍ କହୁଛନ୍ତି ଏବଂ କିଛି ଲୋକ ଏହାକୁ ଭୁଲ କହୁଛନ୍ତି। ସେପଟେ ଏହି ଘଟଣାକୁ ନେଇ ରାଜନୀତି ବଢିବାରେ ଲାଗିଛି। ଘଟଣାକୁ ନେଇ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ଓ ବିଆରଏସ। ଭାରତୀୟ ମହିଳାଙ୍କ ସମ୍ମାନ ଉପରେ ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ବିରୋଧୀ।
ତେଲଙ୍ଗାନାର ମୁଲୁଗୁ ଜିଲ୍ଲା ଅନ୍ତର୍ଗତ ରାମାପ୍ପା ମନ୍ଦିରରେ କେତେକ ମହିଳା ମିସ୍ ୱାର୍ଲଡ ପ୍ରତିଯୋଗୀଙ୍କ ପାଦ ଧୋଇବା ଓ ପୋଛିବାର ଭିଡିଓ ପଦାକୁ ଆସିବା ପରେ ସୃଷ୍ଟି ହୋଇଥିଲା ବିବାଦ। ମନ୍ଦିରର ପରାମ୍ପରା ରହିଛି ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ଗୋଡହାତ ଧୋଇବା। ଶାରୀରିକ ଓ ଆଧ୍ୟାତ୍ମିକ ପବିତ୍ରତା ଲାଗି ଗୋଡ ଧୋଇବା ବ୍ୟବସ୍ଥା ରହିଛି। ତେଲଙ୍ଗାନାର ସ୍ବାଭିମାନ ପ୍ରତି ଏହି ଘଟଣା ଆଞ୍ଚ ଆଣିଛି ବୋଲି କହିଛନ୍ତି ଭାରତ ରାଷ୍ଟ୍ର ସମିତିର କେତେକ ପୂର୍ବତନ ମନ୍ତ୍ରୀ। ନିଃସର୍ତ୍ତ କ୍ଷମା ପ୍ରାର୍ଥନା ଲାଗି କଂଗ୍ରେସ ହାଇକମାଣ୍ଡଙ୍କ ନିକଟକୁ ସେମାନେ ପତ୍ର ଲେଖିଛନ୍ତି।