ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପୂର୍ବରୁ ଗଠିତ ଇଣ୍ଡିଆ ମେଣ୍ଟ ଏବେ ଥିବା ପରି ଲାଗୁନି । ଏପରିକି କଂଗ୍ରେସର ଆଉ କୌଣସି ଭବିଷ୍ୟତ ନାହିଁ । ଏମିତି ବଡ ବୟାନ ଦେଇଛନ୍ତି ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ । ତାଙ୍କର ଏହି ବୟାନକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇ ଉଠିଛି । ଗୁୁରୁବାର ଚିଦାମ୍ବରମ କହିଥିଲେ ଯେ, ମୁଁ ଆଶ୍ୱସ୍ତ ନୁହେଁ ଯେ ଏବେ ବି ଇଣ୍ଡିଆ ମେଣ୍ଟ ଜାରି ରହିଛି । ତାଙ୍କର ଏହି ବୟାନକୁ ନେଇ ବିଜେପି କଂଗ୍ରେସକୁ ଆକ୍ଷେପ କରିଛି ।
ଏବେ ପି ଚିଦାମ୍ବରମଙ୍କ ତୁଳନା ଲୋକେ ଶଶି ଥରୁରଙ୍କ ସହ କରୁଛନ୍ତି । ତିରୁଅନନ୍ତପୁରମରୁ ସାଂସଦ ଶଶି ଥରୁର ଲଗାତାର ମୋଦୀ ସରକାରଙ୍କ ପ୍ରଶଂସା କରୁଛନ୍ତି । ଏହା ସହିତ କଂଗ୍ରେସର ନୀତି ଉପରେ ଅନେକ ଥର ଅସହମତି ପ୍ରକାଶ କରିଛନ୍ତି । ଏବେ ଠିକ୍ ସମାନ ସ୍ଥିତି ଚିଦାମ୍ବରମଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଜେପିର ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ଏକ୍ସରେ ଲେଖିଛନ୍ତି, କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ଭବିଷ୍ୟତବାଣୀ ଭବିଷ୍ୟତରେ ବିରୋଧୀ ଏକଜୁଟ୍ ହୋଇ ରହିବେ ନାହିଁ ।
ପି ଚିଦାମ୍ବରମ ଏକ ଆୟୋଜନରେ କହିଥିଲେ ଯେ, ଯଦି ଆପଣଙ୍କୁ ବିଜେପି ସହ ମୁକାବିଲା କରିବାର ଅଛି ତେବେ ସଂଗଠନକୁ ପ୍ରଥମେ ମଜବୁତ କରିବାକୁ ପଡିବ । ମୋର ରାଜନୈତିକ ଯାତ୍ରାରେ ମୁଁ ଆଜି ପର୍ଯ୍ୟନ୍ତ ଦେଖି ନାହିଁ କୌଣସି ପାର୍ଟି ସଂଗଠନ ଭାବେ ଏତେ ମଜବୁତ । ଆମେ ଏମିତି ଏକ ଗଣତନ୍ତ୍ରରେ ରହୁଛନ୍ତି,ଯେଉଁଠି ନିର୍ବାଚନ ହୋଇଥାଏ । ୨୦୨୪ ନିର୍ବାଚନ ଫଳାଫଳକୁ କେହି ଅଣଦେଖା କରି ପାରିବେ ନାହିଁ । ମାତ୍ର ଏହା ବି ଏକ ବଡ ପ୍ରଶ୍ନ ଯେ, କଣ ବିରୋଧୀ ଏକଜୁଟ୍ ଅଛନ୍ତି ?
ସେ ସଲମାନ ଖୁର୍ସିଦ ଓ ମୃତ୍ୟୁଞ୍ଜୟ ସିଂ ଯାଦବଙ୍କ ଏକ ପୁସ୍ତକର ବିମୋଚନ ଅବସରରେ କହିଥିଲେ ଯେ, ଇଣ୍ଡିଆ ମେଣ୍ଟର ଭବିଷ୍ୟତ ବହୁତ ଉଜ୍ଜ୍ୱଳ ଦେଖା ଯାଉନି । ମୃତ୍ୟୁଞ୍ଜୟ ଯାଦବଙ୍କୁ ଲାଗୁଛି ଏହି ମେଣ୍ଟ କାଏମ ରହିଛି, ମାତ୍ର ମୋତେ ଏମିତି ଲାଗୁନି । ଏହି ବିଷୟରେ ତ ସଲମାନ ଖୁର୍ସିଦ ଅଧିକ ସୂଚନା ଦେଇ ପାରିବେ । କାରଣ ସଲମାନ ଇଣ୍ଡିଆ ମେଣ୍ଟର ସେହି ଟିମର ସଦସ୍ୟ ଥିଲେ, ଯିଏ ସବୁ ଦଳକୁ ଗୋଟିଏ ମଞ୍ଚରେ ଆଣିବାକୁ ଉଦ୍ୟମ କରିଥିଲେ । ଯଦି ଇଣ୍ଡି ମେଣ୍ଟ ପୂର୍ବ ପରି କାଏମ ଅଛି ତେବେ ମୁଁ ଖୁସି ହେବି । ମାତ୍ର ସଂପ୍ରତି ଏମିତି ଲାଗୁନି ।