ନୂଆଦିଲ୍ଲୀ: ଦେଶର ପ୍ରତିଷ୍ଠିତ କମ୍ପାନୀ ଅଦାନୀ ଗ୍ରୁପ୍ ବଡ଼ ନିଷ୍ପତ୍ତି ନେଇଛି । ଚୀନ୍ କମ୍ପାନୀ ଦ୍ୱାରା ଜାରି ଡ୍ରାଗନ୍ ପାସ୍ ସହିତ ବିମାନବନ୍ଦରରେ ଉପଲବ୍ଧ ହେଉଥିବା ଲାଉଞ୍ଜ ସୁବିଧା ପ୍ରଦାନକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରିଛି ଅଦାନୀ ଗ୍ରୁପ୍ । ତ୍ୱରିତ ପଦକ୍ଷେପ ସ୍ୱରୁପ ଲକ୍ଷ୍ନୌ ବିମାନବନ୍ଦର ସମେତ ଅନେକ ବିମାନବନ୍ଦରରେ ଘରୋଇ ଯାତ୍ରୀଙ୍କ ପାଇଁ ନିର୍ମିତ ଲାଉଞ୍ଜରେ ଡ୍ରାଗନ୍ ପାସ୍ ସୁବିଧା ଉପଲବ୍ଧ ହେବ ନାହିଁ ।
ଆଦାନୀ ଗ୍ରୁପ୍ ଦ୍ୱାରା ନିୟନ୍ତ୍ରଣାଧୀନ ଲକ୍ଷ୍ନୌ, ଗୌହାଟି, ମୁମ୍ବାଇ, ଅହମ୍ମଦାବାଦ, ଜୟପୁର, ତିରୁବନନ୍ତପୁରମ୍ ବିମାନବନ୍ଦର ସମେତ ଦେଶର ଅନେକ ବିମାନବନ୍ଦରରେ ଯାତ୍ରୀମାନେ ଡ୍ରାଗନ୍ ପାସରେ ଘରୋଇ ଲାଉଞ୍ଜ ବ୍ୟବହାର କରିପାରିବେ ନାହିଁ । ଆଦାନୀର ଜଣେ ମୁଖପାତ୍ର କହିଛନ୍ତି ଯେ ବିମାନବନ୍ଦର ଲାଉଞ୍ଜକୁ ପ୍ରବେଶ ପ୍ରଦାନ କରୁଥିବା ଡ୍ରାଗନ୍ ପାସ୍ ସହିତ ଆମର ସହଭାଗୀତା ତୁରନ୍ତ ପ୍ରଭାବରୁ ସମାପ୍ତ କରାଯାଇଛି। ଏହି ପରିବର୍ତ୍ତନ ବିମାନବନ୍ଦର ଲାଉଞ୍ଜ ଏବଂ ଅନ୍ୟ ଗ୍ରାହକଙ୍କ ଯାତ୍ରା ଅଭିଜ୍ଞତାକୁ ପ୍ରଭାବିତ କରିବ ନାହିଁ।
ଡ୍ରାଗନ୍ ପାସ୍ ଏକ ଚୀନ୍ କମ୍ପାନୀ ଯାହା ଲାଉଞ୍ଜ ସୁବିଧା ପାଇଁ ଏକ ନିର୍ଦ୍ଦିଷ୍ଟ ଶୁଳ୍କ ନେଇ ଯାତ୍ରୀମାନଙ୍କୁ କାର୍ଡ ପ୍ରଦାନ କରେ । ଡ୍ରାଗନ୍ ପାସ୍ କ୍ଲାସିକ୍ ସଦସ୍ୟତା, ପ୍ରିଫରେନ୍ସିଆଲ୍ ସଦସ୍ୟତା ଏବଂ ପ୍ରେଷ୍ଟିଜ୍ ସଦସ୍ୟତା ପାଇଁ ଭିନ୍ନ ଭିନ୍ନ ଶୁଳ୍କ ଅଛି।