ଭୁବନେଶ୍ୱର : ଶୁକ୍ରବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ୱର ସ୍ଥିତ ଓୟୁଏଟି କୃଷି ଶିକ୍ଷା ସଦନରେ ଓଡିଶା ଖଣି ନିଗମର ୭୦ତମ ପ୍ରତିଷ୍ଠା ଦିବସ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଏହି ଅବସରରେ ମୁଖ୍ଯମନ୍ତ୍ରୀ କହିଛନ୍ତି ଖଣିଜ ସମ୍ପଦ ପରିପୂର୍ଣ୍ଣ ରାଜ୍ୟ ଭାବେ ଓଡିଶା ଭାରତ ବର୍ଷରେ ଏକ ଅଗ୍ରଣୀ ରାଜ୍ୟ। ଦେଶର ସର୍ବୋମୋଟ୍ ଖଣିଜ ସମ୍ପଦର ୪୧.୯ ପ୍ରତିଶତରୁ ଅଧିକ ଖଣିଜ ସମ୍ପଦ ଓଡିଶାରେ ମହଜୁଦ୍ ଅଛି। OMC, ୬୦ ବର୍ଷରୁ ଅଧିକ ସମୟ ଧରି ପ୍ରକୃତି କୋଳରୁ ଖଣିଜ ସମ୍ପଦ ଅନ୍ୱେଷଣ ଓ ଖଣି ଖନନ କାର୍ଯ୍ୟ ଦାୟିତ୍ୱପୂର୍ଣ୍ଣ ଭାବେ କରିଆସୁଛି। ରାଜ୍ୟକୁ ଅର୍ଥନୈତିକ ସ୍ତରରେ ସମୃଦ୍ଧ କରିବା ପାଇଁ OMCର ବଳିଷ୍ଠ ଅବଦାନ ରହିଛି ।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ୬୦ ଦଶକରେ ମାତ୍ର ୧କୋଟି ଟଙ୍କାର ଆର୍ଥିକ କାରବାର ସହିତ OMC ନିଜର ଯାତ୍ରା ଆରମ୍ଭ କରି ୨୦୨୪-୨୫ ଆର୍ଥିକ ବର୍ଷରେ ୨୩,୬୦୦ କୋଟି ଟଙ୍କାର ଆର୍ଥିକ କାରବାର କରିଛି। ଏହି କାରବାର କେବଳ ଖଣିଜ ପଦାର୍ଥ ଉତ୍ପାଦନ ଓ ବିକ୍ରୟ ମାଧ୍ୟମରେ ହୋଇଛି। ଆଜି OMC ଦେଶରେ ଖଣିଜ ଉତ୍ପାଦନ କାରୀ କମ୍ପାନୀ ମଧ୍ୟରେ ଶ୍ରେଷ୍ଠ ୫ମ ସ୍ଥାନରେ ରହିଛି। OMC କେବଳ ଆମ ରାଜ୍ୟରେ ନୁହେଁ ବରଂ ସାରା ଦେଶରେ ନିଜକୁ ଏକ ଆଦର୍ଶ Profit Making State PSUs ଭାବରେ ପ୍ରତିଷ୍ଠିତ କରିପାରିଛି। OMC ଓଡିଶା ବିକାଶର ସାରଥୀ ଓ ଦେଶର ଅର୍ଥନୈତିକ ଅଭିବୃଦ୍ଧିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଡୁବୁନା, ବଡବିଲ ଲୌହ ପଥର ଖଣିର ପୁନଃ ଆରମ୍ଭ କରିବା ସହିତ ବଡବିଲ ଅଞ୍ଚଳର ତିରିଙ୍ଗ ପାହାଡ ଖଣି ଓ ରେଙ୍ଗାଲବେଡା ଆର.ଆର୍ କଲୋନୀକୁ ବିଦ୍ୟୁତ ଯୋଗାଣର ଶୁଭାରମ୍ଭ କରିଥିଲେ, ଏଥିସହିତ ମୁଖ୍ୟମନ୍ତ୍ରୀ କୋଇଡା ଖଣି ଅଞ୍ଚଳରେ ଅବସ୍ଥିତ OMC ଖଣି ଗୁଡିକରେ ୯୦୦ କିଲୋ ୱାଟ୍ ପିକ୍ର ସୋଲାର ପ୍ଲାଣ୍ଟ ଉଦ୍ଘାଟନ କରିଥିଲେ। କମ୍ପାନୀର କାର୍ଯ୍ୟଦକ୍ଷତାକୁ ଅଧିକ ସୁଦୃଢ କରିବା ପାଇଁ ୪ଟି ଆଇ.ଟି. ମଡ୍ୟୁଲାର ଯଥା- ଲଜିଷ୍ଟିକ୍ ମ୍ୟାନେଜମେଣ୍ଟ ସିଷ୍ଟମ(LMS), OMC ଫାଇନାନ୍ସ ମ୍ୟାନେଜମେଣ୍ଟ ସିଷ୍ଟମ (OFMS), OMC ପ୍ଲଟ ଲ୍ୟାଣ୍ଡ ୟୁଟିଲାଇଜେସନ୍ ସିଷ୍ଟମ (OPLUS) ଏବଂ OMC ରିକ୍ରୁଟମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ORMS)ର ଶୁଭାରମ୍ଭ କରିଥିଲେ। ମୁଖ୍ୟମନ୍ତ୍ରୀ ତିନୋଟି ବିଭାଗରେ ସର୍ବୋଚ୍ଚ ପ୍ରଦର୍ଶନ କରିଥିବା OMCର କାର୍ଯ୍ୟକ୍ଷମ ଖଣି ଗୁଡିକ ମଧ୍ୟରୁ ୨୦୨୩-୨୪ ଓ ୨୦୨୪-୨୫ ବର୍ଷ ପାଇଁ ଶ୍ରେଷ୍ଠ ଖଣି କ୍ଷେତ୍ର, ଶ୍ରେଷ୍ଠ ଖଣି ଓ ସୁରକ୍ଷିତ ଖଣି ଏହିଭଳି ତିନୋଟି ବର୍ଗରେ ପୁରସ୍କାର ପ୍ରଦାନ କରିଥିଲେ। ଏହି ଅବସରରେ ଓଡିଶା ଖଣି ନିଗମର CSR ଭିତ୍ତିକ ପଦକ୍ଷେପ ଉପରେ ପର୍ଯ୍ୟବେଶିତ ଏକ ପତ୍ରିକା ଅତିଥି ମାନେ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ଖଣି ଓ ଇସ୍ପାତ ମନ୍ତ୍ରୀ ଶ୍ରୀ ବିଭୂତି ଭୂଷଣ ଜେନା ଯୋଗଦେଇ ଓଡିଶାର ଶିଳ୍ପାୟନ କ୍ଷେତ୍ରକୁ ପରିବର୍ତ୍ତନ କରିବାରେ OMCର ଭୂମିକା ଉପରେ ଆଲୋକପାତ କରିଥିଲେ। ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଓଏମ୍ସିର ଅଧ୍ୟକ୍ଷ ଶ୍ରୀ ସୁରେନ୍ଦ୍ର କୁମାର ସ୍ୱାଗତ ଭାଷଣ ଦେଇଥିଲେ ଏବଂ OMC ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ମୋହନ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ। ନିଗମ ଅଧୀନରେ କାମ କରୁଥିବା ସମସ୍ତ ବିଭାଗୀୟ ଅଧିକାରୀ, କର୍ମଚାରୀ ମାନେ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।