ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା ପାଇଁ ଆହୁରି କିଛି ସମୟ ବାକି ଅଛି। ଏହି ଗସ୍ତରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏହା ପୂର୍ବରୁ ଭାରତୀୟ ଏ ଦଳ ଏବଂ ଇଂଲଣ୍ଡ ଲାୟନ୍ସ ମଧ୍ୟରେ ପ୍ରଥମ ଶ୍ରେଣୀ ମ୍ୟାଚ୍ ଖେଳାଯିବ। ଏଥିପାଇଁ ଭାରତ-ଏ ଦଳ ଘୋଷଣା କରିଛି ବିସିସିଆଇ। ଦଳର ଅଧିନାୟକ ଦାୟିତ୍ଵ ଅଭିଜ୍ଞ ବ୍ୟାଟର ଅଭିମନ୍ୟୁ ଈଶ୍ୱରନଙ୍କୁ ଦିଆଯାଇଛି। ଦୀର୍ଘ ଦିନ ପରେ କରୁଣ ନାୟର ଏବଂ ଇଶାନ କିଶାନ ମଧ୍ୟ ଦଳକୁ ଫେରିଛନ୍ତି। ଏହି ଦଳ ଘୋଷଣା ପରେ ସ୍ପଷ୍ଟ ହୋଇଯାଇଛି ଯେ ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳକୁ ଫେରିବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ।
ଦୀର୍ଘ ସମୟ ଧରି ଟିମ୍ ଇଣ୍ଡିଆରୁ ବାହାରେ ଥିବା ଇଶାନ କିଶନ ଫେରିଛନ୍ତି। ଆଘାତ ଯୋଗୁଁ ବହୁ ସମୟ ଧରି ଭାରତର ଟେଷ୍ଟ ଦଳରୁ ବାହାରେ ଥିବା ଶାର୍ଦ୍ଦୁଳ ଠାକୁରଙ୍କୁ ମଧ୍ୟ ଦଳରେ ସୁଯୋଗ ଦିଆଯାଇଛି। ଯଦି ଦୁଇ ଖେଳାଳି ଇଂଲଣ୍ଡ ଲାୟନ୍ସ ବିପକ୍ଷରେ ଭଲ ପ୍ରଦର୍ଶନ କରନ୍ତି, ତେବେ ଇଂଲଣ୍ଡ ବିପକ୍ଷର ଟେଷ୍ଟ ସିରିଜରେ ସୁଯୋଗ ମିଳିପାରେ।
ଅଭିଜ୍ଞ ବ୍ୟାଟର କରୁଣ ନାୟର ଦୀର୍ଘ ସମୟ ପରେ ଭାରତୀୟ ଦଳକୁ ଫେରିଛନ୍ତି। ଗତ ବର୍ଷ କରୁଣ ନାୟର ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିଲେ। ସେ ପ୍ରଥମ ଶ୍ରେଣୀ ଏବଂ ଲିଷ୍ଟ ଏ କ୍ରିକେଟରେ ନଅ ଶତକ ସହ ୧୬୦୦ ରୁ ଅଧିକ ରନ କରିଥିଲେ। ତାଙ୍କର ଫର୍ମ ଦେଖି ତାଙ୍କୁ ଭାରତୀୟ ଦଳରେ ସାମିଲ କରିବା ପାଇଁ ଲଗାତାର ଦାବି ହେଉଥିଲା। ଯଦି ଭାରତୀୟ ଏ ଦଳ ପକ୍ଷରୁ ଭଲ ଭଲ ପ୍ରଦର୍ଶନ କରନ୍ତି ତେବେ ଭାରତୀୟ ଦଳରେ ତାଙ୍କୁ ସୁଯୋଗ ମିଳିପାରେ।
ଶୁଭମନ ଗିଲ୍ ଏବଂ ସାଇ ସୁଦର୍ଶନ ଦ୍ୱିତୀୟ ମ୍ୟାଚ୍ ପୂର୍ବରୁ ଦଳରେ ଯୋଗଦେବେ। ଉଭୟ ଖେଳାଳି IPL 2025ରେ ଗୁଜରାଟ ଟାଇଟନ୍ସ ପକ୍ଷରୁ ଖେଳୁଛନ୍ତି ଏବଂ ତାଙ୍କ ପ୍ଲେଅଫର ନିକଟତର ହୋଇଛି। ତେଣୁ ପ୍ଲେଅଫ୍ ମ୍ୟାଚ୍ ପରେ ଉଭୟ ଖେଳାଳି ଭାରତୀୟ ଏ ଦଳରେ ଯୋଗଦେବେ। ଦୁଇ ଦଳ ମଧ୍ୟରେ ପ୍ରଥମ ମ୍ୟାଚ୍ ଜୁନ୍ ୦୨ ରୁ ଜୁନ୍ ୦୫ ମଧ୍ୟରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ୍ ଜୁନ୍ ୯ ରୁ ଆରମ୍ଭ ହେବ।
ଭାରତୀୟ ଏ ଦଳ
ଅଭିମନ୍ୟୁ ଈଶ୍ଵରନ (ଅଧିନାୟକ), ଯଶସ୍ୱୀ ଜୟସ୍ଵାଲ, କରୁଣ ନାୟାର, ଧ୍ରୁବ ଜୁରେଲ (ଉପ-ଅଧିନାୟକ ଏବଂ ୱିକେଟ୍ କିପର), ନୀତୀଶ କୁମାର ରେଡ୍ଡୀ, ଶାର୍ଦ୍ଦୁଲ ଠାକୁର, ଇଶାନ କିଶନ (ୱିକେଟ୍ କିପର), ମାନବ ସୁଥାର, ଶମ୍ସ ମୁଲାନି, ମୁକେଶ କୁମାର, ଆକାଶ ଦୀପ, ହର୍ଷିତ ରାଣା, ଅଂଶୁଲ ଗାଇକୱାଡ, ସରଫରାଜ ଖାନ, ତୁଶାର ଦେଶପାଣ୍ଡେ, ହର୍ଷ ଦୁବେ।