ନୂଆଦିଲ୍ଲୀ: କ୍ରିକେଟ୍ ସାଉଥ ଆଫ୍ରିକା କିଛି ଘଣ୍ଟା ପୂର୍ବରୁ ଘୋଷଣା କରିଥିଲା ଯେ, ବିଶ୍ୱ ଟେଷ୍ଟ ଚାମ୍ପିଅନ୍ସଶିପ ଫାଇନାଲ୍ ପାଇଁ ଦଳରେ ସାମିଲ ଖେଳାଳିଙ୍କୁ ଆଇପିଏଲ୍ ୨୦୨୫ର ପ୍ଲେଅଫ ମ୍ୟାଚ୍ ଛାଡି ଦେଶ ପାଇଁ ଫେରିବାକୁ ପଡିବ । ଖେଳାଳିମାନେ ମେ ୨୬ ପର୍ଯ୍ୟନ୍ତ ଆଇପିଏଲ୍ ଖେଳି ପାରିବେ । ହେଲେ ଏହି ନିଷ୍ପତ୍ତିକୁ ବଦଳାଇ ଦେଇଛି ବୋର୍ଡ । ଆଉ ଫାଇନାଲ୍ ପର୍ଯ୍ୟନ୍ତ ଆଇପିଏଲ୍ ଖେଳିବାକୁ ଖେଳାଳିଙ୍କୁ ଅନୁମତି ଦେଇଛି । ଅଷ୍ଟ୍ରେଲିଆ ବିପକ୍ଷ ଜୁନ ୧୧ରୁ ଲଣ୍ଡନର ଲର୍ଡସରେ ଖେଳା ଯିବାକୁ ଥିବା ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ଜୁନ ୩ରୁ ଟ୍ରେନିଂ ଆରମ୍ଭ ହେବ ।
ବିସିସିଆଇ ମେ ୧୨ରେ ଘୋଷଣା କରିଥିଲା ଯେ, ମେ ୧୭ରୁ ଆଇପିଏଲ୍ ପୁଣି ଆରମ୍ଭ ହେବ । ଏମିତିରେ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ଖେଳାଳିଙ୍କୁ ସଂଶୟ ଦେଖା ଦେଇଥିଲା । କାରଣ ଜୁନ ୧୧ରୁ ଉଭୟ ଦଳ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ମଇଦାନକୁ ଓହ୍ଲାଇବେ । ତେବେ ପାକିସ୍ତାନ ସହ ଉତ୍ତେଜନା କାରଣରୁ ଆଇପିଏଲକୁ ସପ୍ତାହେ ପର୍ଯ୍ୟନ୍ତ ସ୍ଥଗିତ ରଖାଯିବାରୁ ମେ ୨୫ରେ ଟୁର୍ଣ୍ଣାମେଣ୍ଟ ସରିବା ପରିବର୍ତ୍ତେ ଜୁନ ୩କୁ ଟାଣି ହୋଇଗଲା । ସିଏସଏ ପକ୍ଷରୁ ଡବ୍ଲ୍ୟୁଟିସି ଫାଇନାଲର ପ୍ରସ୍ତୁତି ପାଇଁ ଖେଳାଳିଙ୍କୁ ମେ ୨୬ରେ ଫେରି ଆସିବାକୁ କୁହାଯାଇଥିଲା ।
ଦକ୍ଷିଣ ଆଫ୍ରିକାର ୧୦ରୁ ଅଧିକ ଖେଳାଳି ଆଇପିଏଲ୍ ୨୦୨୫ ଖେଳୁଛନ୍ତି । ଏଥିରୁ ୮ ଜଣ ଏମିତି ଖେଳାଳି ଯାହାଙ୍କ ଚୟନ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ହୋଇଛି । ଏଥିରେ ଦକ୍ଷିଣ ଆଫ୍ରିକାର ୮ କ୍ରିକେଟର କାଗିସୋ ରାବଡା(ଜିଟି), ଲୁଙ୍ଗି ଏନଙ୍ଗିଡି(ଆରସିବି), ଟ୍ରିଷ୍ଟନ ଷ୍ଟବ୍ସ(ଡିସି), ଆଡନ ମାରକ୍ରମ(ଏଲଏସଜି), ରିୟାନ ରିକଲଟର(ଏମଆଇ), କୋର୍ବିନ ବୋଶ(ଏମଆଇ), ମାର୍କୋ ଜନସେନ(ପିବିକେଏସ) ଓ ୱିୟାନ ମୁଲଡର(ଏସଆରଏଚ) ଙ୍କ ନାଁ ସାମିଲ ।
ୱିୟାନ ମୁଲଡର ମେ ୨୫ ତାରିଖରୁ ଫ୍ରି ହୋଇଯିବେ । କାରଣ ତାଙ୍କ ଦଳ ସନରାଇଜର୍ସ ହାଇଦ୍ରାବାଦ ପ୍ଲେ ଅଫ ଦୌଡରୁ ବାଦ୍ ପଡି ସାରିଛି । ଏହା ବ୍ୟତୀତ ମେ ୨୬ ତାରିଖ ସ୍ପଷ୍ଟ ହୋଇଯି ବେଯ, କେଉଁ ଦଳ ଆଗକୁ ଯିବେ । ସେହି ହିସାବରେ କିଛି ଖେଳାଳି ଫ୍ରି ହୋଇଯିବେ । ସେହି ହିସାବରେ ସେମାନେ ଡବ୍ଲ୍ୟୁଟିସି ଫାଇନାଲ୍ ପାଇଁ ନିଜ ଦେଶକୁ ଆରାମରେ ଫେରି ପାରିବେ । ଏଲିମିନେଟର ପରେ ବି କିଛି ଖେଳାଳି ଫ୍ରି ହେବାର ଆଶା ରହିଛି ।