ଦୁବାଇ; ଡବ୍ଲୁଟିସି ଫାଇନାଲ ପାଇଁ ଘୋଷଣା ହେଲା ପ୍ରାଇଜ୍ ମନି । ଆଇସିସି ପକ୍ଷରୁ ଘୋଷଣା କରାଗଲା ବିଜେତା ଓ ଉପବିଜେତା ଦଳ ପାଇଁ ପୁରସ୍କାର ରାଶି । ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବାକୁ ଥିବା ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲର ବିଜେତାଙ୍କ ଉପରେ ଟଙ୍କା ବର୍ଷା କରିବ ଆଇସିସି । ଦକ୍ଷିଣ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ବିଜେତାଙ୍କୁ ପ୍ରାୟ ୩୦ କୋଟି ୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଦିଆଯିବ। ଫାଇନାଲରେ ହାରିବା ଦଳ ଅର୍ଥାତ୍ ରନର୍ସଅପ୍ ପ୍ରାୟ ୧୮.୫ କୋଟି ଟଙ୍କା ପାଇବ। ଆପଣଙ୍କୁ କହିରଖୁଛୁ ଯେ ଗତ ଥର ଏହି ପୁରସ୍କାର ରାଶି ମାତ୍ର ୬. ୮ କୋଟି ଟଙ୍କା ରଖାଯାଇଥିଲା । ଟେଷ୍ଟ କ୍ରିକେଟର ଚାହିଦା ବଢିବା ସହ ଚଳିତ ଥର ଏହି ରାଶିରେ ବୃଦ୍ଧି କରାଯାଇଛି ।
ପୁରସ୍କାର ରାଶି ବୃଦ୍ଧି କରି ଆଇସିସି ଟେଷ୍ଟ କ୍ରିକେଟକୁ ପ୍ରୋତ୍ସାହିତ କରିବାକୁ ଚେଷ୍ଟା କରିଛି। ସବୁଠାରୁ ଭଲ କଥା ହେଉଛି ଯେ ତୃତୀୟ-ଚତୁର୍ଥ ସ୍ଥାନରୁ ଶେଷ ସ୍ଥାନ ପର୍ଯ୍ୟନ୍ତ କୌଣସି ଦଳ ଖାଲି ହାତରେ ଫେରିବ ନାହିଁ। ଗତ ଦୁଇଟି ଫାଇନାଲ ଖେଳିଥିବା ଭାରତ ଏଥର ତୃତୀୟ ସ୍ଥାନ ଅଧିକାର କରିଛି। ଏହାସହ ଭାରତୀୟ ଦଳ ଏଥର ଫାଇନାଲ ନଖେଳି ମଧ୍ୟ ୧୨ କୋଟି ଟଙ୍କାର ପୁରସ୍କାର ରାଶି ପାଇବାକୁ ଯାଉଛି।
ସେହିପରି ଆଇସିସି ଏଥର କେବଳ ବିଜେତା ଓ ଉପବିଜେତା ଦଳ ପାଇଁ ପୁରସ୍କାର ଘୋଷଣା କରିନାହିଁ ବରଂ ଏହି ତାଲିକାର ଶେଷ ସ୍ଥାନରେ ରହିଥିବା ଦଳ ମଧ୍ୟ ପୁରସ୍କାର ରାଶି ପାଇବାରେ ସଫଳ ହେବେ । ତୃତୀୟ ସ୍ଥାନରେ ଥିବା ଭାରତୀୟ ଦଳକୁ ୧୨ କୋଟି ମିଳିବାକୁ ଥିବା ବେଳେ ଟେବୁଲର ଶେଷରେ ଥିବା ପାକିସ୍ତାନ ପାଇଁ ପ୍ରାୟ ୪୧ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଛି ।
ସେହିପରି ୨୦୨୧ ଫାଇନାଲର ବିଜେତା ବା ଏଥରର ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଦଳକୁ ପ୍ରାୟ ୧୦. ୨ କୋଟି ଟଙ୍କା ପୁରସ୍କାର ପ୍ରଦାନ କରାଯିବ । ଏହା ବ୍ୟତୀତ ପଞ୍ଚମ ସ୍ଥାନରେ ଥିବା ଇଂଲଣ୍ଡକୁ ୮.୨ କୋଟି ଟଙ୍କା, ଷଷ୍ଠ ସ୍ଥାନରେ ଥିବା ଶ୍ରୀଲଙ୍କାକୁ ୭.୧ କୋଟି ଟଙ୍କା, ସପ୍ତମ ସ୍ଥାନରେ ରହିବା ପାଇଁ ବାଂଲାଦେଶକୁ ୬.୧ କୋଟି ଟଙ୍କା ଏବଂ ଅଷ୍ଟମ ସ୍ଥାନରେ ରହିବା ପାଇଁ ୱେଷ୍ଟଇଣ୍ଡିଜ୍କୁ ୫.୧ କୋଟି ଟଙ୍କା ମିଳିବ। ସୂଚନାଯୋଗ୍ୟ ଯେ ୨୦୨୧ ଏବଂ ୨୦୨୩ ରେ ବିଶ୍ୱ ଚାମ୍ପିଅନସିପର ବିଜେତା ପ୍ରାୟ ୧୩. ୭ କୋଟି ଟଙ୍କାର ପୁରସ୍କାର ରାଶି ପାଇଥିଲେ।