ନୂଆଦିଲ୍ଲୀ: ଗୋଟିଏ ସପ୍ତାହ ଭିତରେ ହିଟମ୍ୟାନ ରୋହିତ ଶର୍ମା ଓ ତାରକା ବ୍ୟାଟର ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇଛନ୍ତି । ଦୁହିଁଙ୍କ ଅବସର ସହ ଭାରତୀୟ ଟେଷ୍ଟ କ୍ରିକେଟରେ ଏକ ଯୁଗର ଅନ୍ତ ଘଟିଛି । ରୋହିତ ୩୮ ବର୍ଷ ଏବଂ କୋହଲି ୩୬ ବର୍ଷ ବୟସରେ କ୍ରିକେଟର ସବୁଠୁ ଏହି ଲମ୍ବା ଫର୍ମାଟରୁ ବିଦାୟ ନେଇଛନ୍ତି । ଦୁହିଁଙ୍କ ଅଚାନକ ନିଷ୍ପତ୍ତି ପରେ ଏବେ ଅନେକ ଅନୁଭବୀ ଖେଳାଳିଙ୍କ ଉପରେ ମଧ୍ୟ ଟେଷ୍ଟରୁ ଅବସର ନେବାର ଚାପ ବଢିବାରେ ଲାଗିଛି ।
ଋବୀନ୍ଦ୍ରା ଜାଡେଜା
ବରିଷ୍ଠ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ମଧ୍ୟ ସେହି ଖେଳାଳିଙ୍କ ମଧ୍ୟରେ ସାମିଲ ଯିଏ ଆଗାମୀ ସମୟରେ ଟେଷ୍ଟରୁ ଅବସର ନେଇ ପାରନ୍ତି । ୩୬ ବର୍ଷୀୟ ଏହି ସ୍ପିନ ଅଲରାଉଣ୍ଡର ଭାରତ ପାଇଁ ୮୦ ଟେଷ୍ଟ ଖେଳିଛନ୍ତି । ଏଥିରେ ୩୩୭୦ ରନ କରିବା ସହ ୩୨୩ ୱିକେଟ୍ ନେଇଛନ୍ତି । ଜାଡେଜା ଗତ ବର୍ଷ ରୋହିତ ଓ କୋହଲିଙ୍କ ସହ ଟି-୨୦ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ।
ଆଜିଙ୍କ୍ୟ ରାହାଣେ
ଅନୁଭବୀ ବ୍ୟାଟର ଆଜିଙ୍କ୍ୟ ରାହାଣେ ଲମ୍ବା ସମୟରୁ ଭାରତୀୟ ଟେଷ୍ଟ ଦଳରୁ ବାହାରେ ଅଛନ୍ତି । ସେ ୨୦୨୩େ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ । ଆସନ୍ତା ମାସରେ ୩୭ ବର୍ଷ ବୟସରେ ପଦାର୍ପଣ କରିବେ । ସେ ଭାରତ ପାଇଁ ୮୫ ଟେଷ୍ଟ ଖେଳି ୫୦୭୭ ରନ କରିଛନ୍ତି ।
ଚେତେଶ୍ୱର ପୂଜାରା
୩୭ ବର୍ଷୀୟ ଏହି ବ୍ୟାଟରଙ୍କ ପାଇଁ ଟେଷ୍ଟରେ ପ୍ରତ୍ୟାବର୍ତ୍ତନର ରାସ୍ତା ପ୍ରାୟତଃ ବନ୍ଦ ହୋଇ ସାରିଛି । ସେ ୨୦୨୩ରେ ଭାରତ ପାଇଁ ଶେଷ ଥର ଖେଳିଥିଲେ । ପୂଜାରା ୧୦୩ ଟେଷ୍ଟ ଖେଳି ୭୧୯୫ ରନ କରିଛନ୍ତି ।
ଇଶାନ୍ତ ଶର୍ମା
ଦ୍ରୁତ ବୋଲର ଇଶାନ୍ତ ଶର୍ମା ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେଇ ପାରନ୍ତି । ୩୬ ବର୍ଷୀୟ ଏହି ବୋଲର ନିଜର ଶେଷ ଟେଷ୍ଟ ୨୦୨୧ରେ ଖେଳିଥିଲେ । ସେ ଭାରତ ପାଇଁ ୧୦୫ଟି ଟେଷ୍ଟ ଖେଳି ୩୧୧ ୱିକେଟ୍ ନେଇଛନ୍ତି । ସେ ଭାରତୀୟ ଦଳରୁ ବାଦ୍ ପଡିବା ପରେ ଭାଷ୍ୟକାର ଭୂମିକା ତୁଲାଉଛନ୍ତି ।
ଉମେଶ ଯାଦବ
ଅନୁଭବୀ ଦ୍ରୁତ ବୋଲର ଉମେଶ ଯାଦବ ମଧ୍ୟ ଏହି ତାଲିକାରେ ସାମିଲ । ସେ ୨୦୨୩ରେ ଭାରତ ପାଇଁ ଶେଷ ଟେଷ୍ଟ ଖେଳିଥିଲେ । ୩୭ ବର୍ଷୀୟ ଏହି ବୋଲର ୫୭ ଟେଷ୍ଟ ଖେଳି ୧୭୦ ବ୍ୟାଟରଙ୍କ ଶିକାର କରିଛନ୍ତି ।