ନୂଆଦିଲ୍ଲୀ: ସଚିନ ତେନ୍ଦୁଲକର । ଏମିତି ଜଣେ ମହାନ କ୍ରିକେଟର ଯାହାଙ୍କୁ ଅଧିକାଂଶ ଲୋକ ସର୍ବକାଳୀନ ସର୍ବଶ୍ରେଷ୍ଠ ବ୍ୟାଟର ମାନିଥାନ୍ତି । ତାଙ୍କୁ କ୍ରିକେଟର ଭଗବାନ ବୋଲି ମଧ୍ୟ କୁହାଯାଏ । ମାତ୍ର ଏମିତି ଜଣେ ପୂର୍ବତନ କ୍ରିକେଟ୍ ଅଛନ୍ତି ଯିଏ ସଚିନଙ୍କୁ କୁହନ୍ତି ଯେ, ମୋ କାରଣରୁ ତୋର ନାମ ହେଲା । ଇଂଲଣ୍ଡର ବରିଷ୍ଠ କ୍ରିକେଟର ଏଲନ ଲ୍ୟାମ୍ବ ସଚିନଙ୍କ ମହାନତାରେ କେମିତି ଏବଂ କିପରି ନିଜର ଶ୍ରେୟ ଦେଖନ୍ତି ତାହା କହିଛନ୍ତି । ନିକଟରେ ଏକ ସାକ୍ଷାତକାରରେ କହିଛନ୍ତି, ସେ ସଚିନଙ୍କୁ ବହୁତ ସମ୍ମାନ କରନ୍ତି । ସଚିନଙ୍କ ଅସଂଖ୍ୟ ପ୍ରଶଂସକ ଅଛନ୍ତି ।
ଏଲନ ଲ୍ୟାମ୍ବ ନ୍ୟୁଜ ଏଜେନ୍ସି ପିଟିଆଇ ସହ ନିକଟରେ ଏକ ସାକ୍ଷାତକାରରେ ସଚିନଙ୍କ ବିଷୟରେ ଖୋଲିକି ଆଲୋଚନା କରିଛନ୍ତି । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଓ ବିରାଟ କୋହଲିଙ୍କ ମଧ୍ୟରୁ ଆପଣ କାହାକୁ ଉପରେ ରଖିବେ । ଜବାବରେ ଲ୍ୟାମ୍ବ କହିଛନ୍ତି, ବହୁତ ସହଜ ସଚିନ ତେନ୍ଦୁଲକର । ସଚିନ ୧୮ ବର୍ଷ ବୟସ ହୋଇଥିବା ବେଳେ ତାଙ୍କ ବିରୋଧରେ ମୁଁ ପ୍ରଥମ ଥର ଖେଳିଲି । ମୁଁ ସ୍ଲିପରେ ତାଙ୍କ କ୍ୟାଚ୍ ଛାଡି ଦେଇଥିଲି । ଏହା ପରେ ସଚିନ ଏହାର ଫାଇଦା ଉଠାଇ ଶତକ ହାସଲ କରିଥିଲେ । ଏଥିପାଇଁ ମୁଁ ସର୍ବଦ କହି ଆସିଛି(ହସି ହସି) ଯେ, ମୋ ପାଇଁ ହିଁ ତୁମର ନାମ ହୋଇଛି ।
ଲ୍ୟାମ୍ବ ଏହା ମଧ୍ୟ କହିଛନ୍ତି, କୋହଲି ଜଣେ ଦମଦାର ଖେଳାଳି । ତାଙ୍କ ପାଖରେ ସବୁ ପ୍ରକାରର ସଟ୍ ରହିଛି । ସେ ଦ୍ରୁତ ଗତିରେ ରନ କରି ଜାଣିଛନ୍ତି । ଯଦି ଆପଣ ସେହି ଖେଳାଳିଙ୍କ ବିଷୟରେ କହିବେ ଯାହାଙ୍କ ବିପକ୍ଷରେ ମୁଁ ଖେଳିଛି, ତେବେ ମୁଁ ସଚିନଙ୍କୁ ସବୁଠୁ ଉପରେ ହିଁ ରଖିବି । ସୁନୀଲ ଗାଭାସ୍କରଙ୍କଠୁ ବି ସଚିନଙ୍କୁ ମୁଁ ଉପରେ ରଖିବି ।
ଲ୍ୟାମ୍ବ ଯେଉଁ ମ୍ୟାଚରେ ସଚିନଙ୍କ କ୍ୟାଚ୍ ଛାଡିଥିଲେ, ଉକ୍ତ ଟେଷ୍ଟ ମ୍ୟାଚ୍ ୧୯୯୦ରେ ମାଞ୍ଚେଷ୍ଟରରେ ଖେଳା ଯାଇଥିଲା । ଭାରତ ଓ ଇଂଲଣ୍ଡ ମଧ୍ୟରେ ଅଗଷ୍ଟ ୯ରୁ ୧୪ ମଧ୍ୟରେ ଏହି ଟେଷ୍ଟ ଖେଳା ଯାଇଥିଲା । ଉକ୍ତ ମ୍ୟାଚ୍ ଜରିଆରେ ତେନ୍ଦୁଲକର ନିଜ ଶତକର ଖାତା ଖୋଲିଥିଲେ । ଭାରତର ଅଧିନାୟକ ଦାୟିତ୍ୱ ମହମ୍ମଦ ଆଝାରୁଦ୍ଦୀନ ଓ ଇଂଲଣ୍ଡର ଅଧିନାୟକ ଦାୟିତ୍ୱ ଗ୍ରାହାମ ଗୁଚ୍ ସମ୍ଭାଳୁଥିଲେ । ଇଂଲଣ୍ଡ ପ୍ରଥମ ଇନିଂସରେ ୫୧୯ ରନର ବିଶାଳ ସ୍କୋର କରିଥିଲା । ଗୁଚ, ମାଇକ ଅଥର୍ଟନ ଓ ରବିନ ସ୍ମିଥ ଶତକ ହାସଲ କରିଥିଲେ । ଏଲନ ଲ୍ୟାମ୍ବ ୩୮ ରନ କରିଥିଲେ । ଜବାବରେ ଭାରତ ପ୍ରଥମ ଇନିଂସରେ ୩୪୨ ରନ କରିଥିଲା । ଆଝାର ୧୭୯ ରନ, ସଞ୍ଜୟ ମଞ୍ଜରେକର ୯୩ ରନ ଓ ସଚିନ ତେନ୍ଦୁଲକର ୬୮ ରନ କରିଥିଲେ ।
ଚତୁର୍ଥ ଦିନରେ ଦ୍ୱିତୀୟ ଇନିଂସରେ ଇଂଲଣ୍ଡ ୪ ୱିକେଟ୍ ହରାଇ ୩୨୦ ରନ କରି ପାଳି ସମାପ୍ତି ଘୋଷଣା କରିଥିଲା । ଲ୍ୟାମ୍ବ ଦ୍ୱିତୀୟ ଇନିଂସରେ ୧୦୯ ରନର ଶତକୀୟ ଇନିଂସ ଖେଳିଥିଲେ । ଏହା ପରେ ଭାରତର ଦ୍ୱିତୀୟ ଇନିଂସରେ ସଚିନ ବ୍ୟାଟିଂ କରୁଥିବା ବେଳେ ଲ୍ୟାମ୍ବ ସ୍ଲିପରେ ତାଙ୍କର କ୍ୟାଚ୍ ଛାଡିଥିଲେ । ଆଉ ସଚିନ ଏହାର ଭରପୁର ଫାଇଦା ଉଠାଇ ନିଜର ଅନ୍ତର୍ଜାତୀୟ କ୍ରିକେଟ୍ ଜୀବନରେ ପ୍ରଥମ ଶତକ ପୂରଣ କରିଥିଲେ । ସେ ୧୧୯ ରନର ଶତକୀୟ ଇନିଂସ ଖେଳିଥିଲେ । ଭାରତ ଦ୍ୱିତୀୟ ଇନିଂସରେ ୬ ୱିକେଟ୍ ହରାଇ ୩୪୩ ରନ କରିଥିଲା ଏବଂ ମ୍ୟାଚ୍ ଡ୍ର ରହିଥିଲା ।