ଫିରୋଜପୁର: ଆଜିକାଲି ଚାଲିବା, ବୁଲିବା, ନାଚିବା ଏବଂ ଗୀତ ଗାଇବା ବେଲେ ଅଚାନକ ଲୋକଙ୍କ ମୃତ୍ୟୁ ଘଟୁଛି । ଏମିତି ଘଟଣା ଲୋକଙ୍କୁ ବହୁତ ବିଚଳିତ କରୁଛି । ଏମିତି ଘଟଣାର ଭିଡିଓ ଅନେକ ଦେଖିବାକୁ ମିଳିଛି । କିଛି କାମ କଲା ବେଳେ ହୃଦଘାତରେ ଲୋକଙ୍କ ଜୀବନ ଚାଲି ଯାଉଛି । ଏମିତି ଏକ ହୃଦୟ ବିଦାରକ ଭିଡିଓ ପଞ୍ଜାବର ଫିରୋଜପୁରରୁ ଆସିଛି । ଏଠାରେ ଜଣେ ୨୭ ବର୍ଷୀୟ କ୍ରିକେଟରଙ୍କ ପଡିଆରେ ହିଁ ହୃଦଘାତରେ ମୃତ୍ୟୁ ଘଟିଛି ।
ଏହି ଦୁଃଖଦ ଘଟଣା ଫିରୋଜପୁରର ଗୁରୁ ହର ସହାୟ ଟାଉନରେ ଘଟିଛି । ୨୭ ବର୍ଷୀୟ ଜଣେ ଯୁବ କ୍ରିକେଟରଙ୍କ ପିଚ୍ ଉପରେ ହିଁ ମୃତ୍ୟୁ ଘଟିଛି । ଯୁବକଙ୍କ ନାଁ ହରଜିତ ସିଂ । ସେ ସ୍ଥାନୀୟ କ୍ଲବ ଟିମ୍ ପକ୍ଷରୁ ଖେଳୁଥିଲେ । ରବିବାର ଏକ ସ୍ଥାନୀୟ ମ୍ୟାଚରେ ବ୍ୟାଟିଂ କରୁଥିଲେ । ଯେବେ ସେ ୪୩ ରନ ସ୍କୋରରେ ଥିଲେ, ଛକା ମାରିଥିଲେ । ଆଉ ଏକ ରନ ପାଇଁ ଅର୍ଦ୍ଧଶତକରୁ ଦୂରରେ ଥିଲେ । ଛକା ମାରିବା ପରେ ନନଷ୍ଟ୍ରାଇକରେ ଥିବା ସାଥୀ ବ୍ୟାଟରଙ୍କ ନିକଟକୁ ହାତ ମିଳାଇବାକୁ ଯାଉଥିଲେ । ସେହି ସମୟରେ ହିଁ ସେ ପିଚ୍ ଉପରେ ପ୍ରଥମେ ଆଣ୍ଠୁ ମାଡି ବସିଡିଥିଲେ ଏବଂ ପରେ ତଳେ ପଡି ଯାଇଥିଲେ । ତାଙ୍କ ଶରୀର ଅଚଳ ହେବାକୁ ଲାଗିଥିଲା । ବାକି ଖେଳାଳି ତୁରନ୍ତ ତାଙ୍କ ନିକଟକୁ ଆସି ସିପିଆର ଦେବାକୁ ଉଦ୍ୟମ କରିଥିଲେ ।
ହରଜିତଙ୍କୁ ତତ୍କାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ତାଙ୍କର ପିଚ୍ ଉପରେ ହିଁ ପ୍ରାଣବାୟୁ ଉଡି ସାରିଥିଲା । ଯେବେ ଏହି ଦୁଃଖଦ ଘଟଣା ଘଟିଲା ନନ ଷ୍ଟ୍ରାଇକରେ ରଚିନ ସୋଢୀ ନାମକ ଅନ୍ୟ ବ୍ୟାଟର ଥିଲେ । ହରଜିତଙ୍କ ଏମିତି ମତ୍ୟୃରେ ପରିବାର ସହ ସ୍ଥାନୀୟ ଅଞ୍ଚଳରେ ଶୋକର ଲହରି ଖେଳି ଯାଇଛି । ସାଥୀ ଖେଳାଳି ସୋଢି କହିଛନ୍ତି ଯେ, ହରଜିତ ପେଶାରେ ଭାଷ୍ୟକାର ଥିଲେ । ତାଙ୍କୁ କ୍ରିକେଟ୍ ଖେଳିବା ବହୁତ ପସନ୍ଦ । ସେ ବିବାହିତ ଥିଲେ ଏବଂ ତାଙ୍କର ଗୋଟିଏ ପୁଅ ବି ଅଛି ।