ମଥୁରା: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟରୁ ଅବସର ନେବାର ଗୋଟିଏ ଦିନ ପରେ ଉତ୍ତର ପ୍ରଦେଶର କୃଷ୍ଣନଗରୀ ବୃନ୍ଦାବନ ପହଞ୍ଚିଛନ୍ତି । ତାଙ୍କ ସହ ପତ୍ନୀ ଅନୁଷ୍କା ଶର୍ମା ବି ଅଛନ୍ତି । ମଙ୍ଗଳବାର ସକାଳେ ବିରାଟ ଓ ଅନୁଷ୍କା କେଲି କୁଞ୍ଜ ଆଶ୍ରମରେ ପ୍ରେମାନନ୍ଦ ମହାରାଜଙ୍କୁ ଭେଟି ଆଶୀର୍ବାଦ ନେଇଛନ୍ତି । ବିରାଟ ଓ ଅନୁଷ୍କା ପ୍ରେମାନନ୍ଦ ମହାରାଜଙ୍କ ସହ ପ୍ରାୟ ୧୫ ମିନିଟ୍ ଏକାନ୍ତରେ ବାର୍ତ୍ତାଳପ କରିଛନ୍ତି । ଉଭୟ କେଲି କୁଞ୍ଜ ଆଶ୍ରମରେ ୨ ଘଣ୍ଟା ୨୦ ମିନିଟ୍ ରହିଛନ୍ତି । ସକାଳ ୭ଟା ୨୦ରେ ବିରାଟ ଓ ଅନୁଷ୍କା ଇନୋଭା କାରରେ ବୃନ୍ଦାବନ ପହଞ୍ଚିଥିଲେ ।
ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବା ପରେ ବିରାଟ କୋହଲି ବୃନ୍ଦାବନରୁ ୯ଟା୪୦ରେ ବାହାରିଥିଲେ । ଏହି ସମୟରେ ବିରାଟ ଓ ଅନୁଷ୍କା ମୁହଁରେ ମାସ୍କ ପିନ୍ଧିଥିବା ଦେଖିବାକୁ ମିଳିଥିଲା । ବିରାଟ କୋହଲି ସର୍ବପ୍ରଥମେ ୨୦୨୩ ଜାନୁଆରୀ ୪ ତାରିଖରେ ପ୍ରେମାନନ୍ଦଙ୍କୁ ଭେଟିଥିଲେ । ଏହାପରେ ଚଳିତ ବର୍ଷ ଜାନୁଆରୀ ୧୦ରେ ଅନୁଷ୍କାଙ୍କ ସହ ବୃନ୍ଦାବନ ପହଞ୍ଚି ସନ୍ଥ ପ୍ରେମାନନ୍ଦଙ୍କୁ ଭେଟିଥିଲେ । ପ୍ରେମାନନ୍ଦ ମହାରାଜଙ୍କ ସହ ଉଭୟ ଆଧ୍ୟାତ୍ମିକ ଉପରେ ଆଲୋଚନା କରିଥିଲେ ।
ଯେବେ ପ୍ରଥମ ଥର ପ୍ରେମାନନ୍ଦଙ୍କୁ ବିରାଟ ଭେଟିଥିଲେ, ସେ ପ୍ରଶ୍ନ କରିଥିଲେ ଯେ, ଅସଫଳତାରୁ କେମିତି ବାହାରକୁ ଆସିବ । ପ୍ରେମାନନ୍ଦ କହିଥିଲେ, ଅଭ୍ୟାସ ଜାରି ରଖନ୍ତୁ । ତେବେ ଆଜିର ସାକ୍ଷାତକୁ ବେଶ ଗୋପନୀୟ ରଖା ଯାଇଥିଲା । ବିରାଟ କୋହଲିଙ୍କ ଏହା ବୃନ୍ଦାବନର ତୃତୀୟ ଗସ୍ତ । ଆଜି କେଲି କୁଞ୍ଜ ଆଶ୍ରମରେ କେମିତି କାମ ହୁଏ ତାହା ପଚାରି ବୁଝିଥିଲେ ବିରାଟ ।
ସୁଚନାଯୋଗ୍ୟ, ମେ ୧୨ ତାରିଖ ଅପ୍ରତ୍ୟାଶିତ ଭାବେ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରି କ୍ରିକେଟ୍ ଜଗତରେ ଚହଳ ପକାଇଛନ୍ତି ବିରାଟ କୋହଲି । ତାଙ୍କର ଅବସର ଘୋଷଣାକୁ ପ୍ରଶଂସକଙ୍କ ସହ କ୍ରିକେଟ୍ ସମୀକ୍ଷକ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ରୋହିତ ଶର୍ମାଙ୍କ ଅବସର ଘୋଷଣା କରିବାର ୫ ଦିନ ପରେ କୋହଲି ଏମିତି ବଡ ନିଷ୍ପତ୍ତି ନେଇ ସଭିଙ୍କୁ ଚକିତ କରି ଦେଇନ୍ତି ।