ନୂଆଦିଲ୍ଲୀ: ଦୁଇ ଦୁଇ ଥର ଅଲିମ୍ପିକ୍ ବିଜେତା ନୀରଜ ଚୋପ୍ରାଙ୍କୁ ସେନାରେ ଏକ ବଡ଼ ପଦବୀ ମିଳିଛି । ଆଞ୍ଚଳିକ ସେନାରେ ନୀରଜଙ୍କୁ ଲେପ୍ଟନାଣ୍ଟ କର୍ଣ୍ଣେଲ ପଦ ମିଳିଛି । ଭାରତ ସରକାରଙ୍କ ସରକାରୀ ଆଇନଗତ ଦଲିଲ୍ ଏବଂ ଏକ ସାପ୍ତାହିକ ସାର୍ବଜନୀନ ପତ୍ରିକା ‘ଦି ଗେଜେଟ୍ ଅଫ୍ ଇଣ୍ଡିଆ’ ଅନୁଯାୟୀ ଏହି ନିଯୁକ୍ତି ୧୬ ଏପ୍ରିଲ୍ ଠାରୁ କାର୍ଯ୍ୟକାରୀ ହୋଇଛି ।
ସୈନ୍ୟ ବ୍ୟାପାର ବିଭାଗର ଯୁଗ୍ମ ସଚିବ ମେଜର ଜେନେରାଲ ଜିଏସ୍ ଚୌଧୁରୀଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି, ଟେରିଟୋରିଆଲ୍ ଆର୍ମି ରେଗୁଲେସନ୍ସ, ୧୯୪୮ର ପାରା-୩୧ ଦ୍ୱାରା ପ୍ରଦାନ କରାଯାଇଥିବା କ୍ଷମତା ବ୍ୟବହାର କରି, ରାଷ୍ଟ୍ରପତି ସବ୍-ମେଜର ନୀରଜ ଚୋପ୍ରା ଏହି ପଦ ପ୍ରଦାନ କରିଛନ୍ତି । ଏପ୍ରିଲ ୧୬ ଠାରୁ ଏହା କାର୍ଯ୍ୟକାରୀ ହୋଇଛି ।
ପୂର୍ବରୁ ୨୬ ଅଗଷ୍ଟ ୨୦୧୬ରେ ଭାରତୀୟ ସେନାରେ ନୀରଜଙ୍କୁ ନାଏବ ସୁବେଦାର ପଦବୀରେ ଜୁନିଅର କମିଶନଡ୍ ଅଫିସର ଭାବରେ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହିପରି ତାଙ୍କୁ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା । ୨୦୨୧ ମସିହାରେ ଖେଳରତ୍ନ ଏବଂ ବିଶେଷ ସେବା ପଦକ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ୨୦୨୨ ମସିହାରେ ଭାରତୀୟ ସଶସ୍ତ୍ର ବାହିନୀର ସର୍ବୋଚ୍ଚ ଶାନ୍ତିକାଳୀନ ପଦକ, ପରମ ବିଶେଷ ସେବା ପଦକରେ ସମ୍ମାନିତ ହେବାର ଦୁଇ ବର୍ଷ ପରେ, ତାଙ୍କୁ ସୁବେଦାର ମେଜର ପଦବୀକୁ ଉନ୍ନୀତ କରାଯାଇଥିଲା । ୨୦୨୨ରେ, ସର୍ବୋଚ୍ଚ ନାଗରିକ ପୁରସ୍କାର ପଦ୍ମଶ୍ରୀ ସମ୍ମାନରେ ସମ୍ମାନୀତ କରାଯାଇଛି ।