ନ୍ୟୁଚଣ୍ଡିଗଡ଼: ପ୍ରଥମେ ବୋଲର ନିରାଶ କଲେ। ଏହାଠୁ ଆହୁରି ଟପିଗଲେ ବ୍ୟାଟର। କଟକରେ ୧୦୧ ରନରେ ବିଶାଳ ବିଜୟ ହାସଲ କରିଥିବା ଭାରତ ନ୍ୟୁଚଣ୍ଡିଗଡ଼ର ମୁଲ୍ଲାନପୁରରେ ଖେଳା ଯାଇଥିବା ୨ୟ ଟି-୨୦ରେ ଶୋଚନୀୟ ପରାଜୟ ଭୋଗିଛି। ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି-୨୦ରେ ଭାରତକୁ ୫୧ ରନ୍ ରେ ପରାସ୍ତ କରିଛି। ଏହା ସହିତ ଦକ୍ଷିଣ ଆଫ୍ରିକା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୧-୧ର ବରାବର କରିଛି। ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକା ଡିକକଙ୍କ ୯୦ ରନ ବଳରେ ୨୧୩ ରନ୍ କରିଥିଲା। ଜବାବରେ, ଟିମ୍ ଇଣ୍ଡିଆ ନିର୍ଦ୍ଧାରିତ ୨୦ ଓଭରରେ କେବଳ ୧୬୨ ରନ୍ କରିପାରିଥିଲା। ତିଲକ ବର୍ମା ୬୨ ରନ୍ କରିଥିଲେ ହେଁ ବାକି ବ୍ୟାଟର ନିରାଶ କରିଥିଲେ
୨୧୪ ରନର ଲକ୍ଷ୍ୟ ପିଛା କରିଥିବା ଟିମ୍ ଇଣ୍ଡିଆର ଆରମ୍ଭ ଖରାପ ଥିଲା। ଉପଅଧିନାୟକ ଶୁଭମନ ଗିଲ୍ ଗୋଲ୍ଡେନ ଡକର ଶିକାର ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ଖରାପ ଫର୍ମ ଜାରି ରଖି ୫ ରନ୍ କରିବା ପରେ ପ୍ୟାଭିଲିୟନ ଫେରିଥିଲେ। ଅଭିଷେକ ଶର୍ମାଙ୍କୁ ମାର୍କୋ ଜାନସେନ୍ ପାଭିଲିୟନର ରାସ୍ତା ଦେଖାଇଥିଲେ। ଅଭିଷେକ ୧୭ ରନ୍ କରିଥିଲେ। ୩ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ଅକ୍ଷର ପଟେଲଙ୍କ ରୂପରେ ଟିମ୍ ଇଣ୍ଡିଆ ୬୭ ରନରେ ଚତୁର୍ଥ ୱିକେଟ ହରାଇଥିଲା। ଅକ୍ଷର ୨୧ ବଲରୁ ୨୧ ରନ କରିଥିଲେ।
ତିଲକ ବର୍ମା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଟିମ୍ ଇଣ୍ଡିଆର ଇନିଂସକୁ ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦୁହେଁ ୪୧ ବଲ୍ ରେ ପଞ୍ଚମ ୱିକେଟ ପାଇଁ ୫୧ ରନର ଭାଗୀଦାରି କରିଥିଲେ। କିନ୍ତୁ ହାର୍ଦ୍ଦିକ ପାଣ୍ଡା ଚେଷ୍ଟା କରିଥିଲେ ବିସ୍ଫୋରକ ବ୍ୟାଟିଂ କରି ପାରି ନ ଥିଲେ। ତାଙ୍କୁ ଲୁଥୋ ସିମ୍ପଲା ୨୦ ରନ କରି ଆଉଟ କରିଥିଲେ। ତଥାପି, ତିଲକ ବର୍ମା ଗୋଟିଏ ପାର୍ଶ୍ୱରେ କ୍ରିଜରେ ଜମି ଭାରତ ପାଇଁ ବିଜୟ ଆଶା ଉଜ୍ଜିବୀତ ରଖିଥିଲେ।
ଜିତେଶ ଶର୍ମା ୧୭ ବଲରୁ ୨୭ ରନ କରିଥିଲେ ହେଁ ତାହା ଦଳ ପାଇଁ ଯଥେଷ୍ଟ ନ ଥିଲା। ଶେଷ ଆଡ଼କୁ ଭାରତ ଦ୍ରୁତ ଗତିରେ ରନ କରି ପାରି ନ ଥିଲା। ତିଳକ ଶେଷ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ। ସେ ୩୪ ବଲରୁ ୨ ଚୌକା ଓ ୫ ଛକା ସହ ୬୨ ରନର ଇନିଂସ ଖେଳିଥିଲେ। ଆଉ ଭାରତ ୧୯.୧ ଓଭରରେ ୧୬୨ ରନରେ ଅଲଆଉଟ୍ ହୋଇଥିଲା। ବୋଲିଂରେ ଦକ୍ଷିଣ ଆଫ୍ରିକାର ଅଟନେଲ ବାର୍ଟମ୍ୟାନ ୨୪ ରନ ଦେଇ ୪ଟି ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଲୁଙ୍ଗି ଏନଗିଡି, ମାର୍କୋ ଜନସେନ ଓ ଲୁଥୋ ସିମ୍ପଲା ପ୍ରତ୍ୟେକଙ୍କୁ ୨ଟି ଲେଖାଏଁ ଓ୍ଵିକେଟ୍ ମିଳିଛି।
Also read: ଆଇପିଏଲ୍ ୨୦୨୬: ନିଲାମ ତାଲିକାରେ ୯ ଜଣ ଖେଳାଳି ସାମିଲ, ଖେଳିବେ କୋହଲିଙ୍କ ପ୍ରିୟ ଖେଳାଳି