ନୂଆଦିଲ୍ଲୀ: ଟି-୨୦ ଅନ୍ତର୍ଜାତୀୟରେ ଶୁଭମନ ଗିଲଙ୍କୁ ଯେବେଠୁ ଉପଅଧିନାୟକ କରାଯାଇଛି, ତେବେଠୁ ଟିମ୍ ଇଣ୍ଡିଆର ସଞ୍ଜୁ ସାମସନ ଓ ଅଭିଷେକ ଶର୍ମା ଓପନିଂ ଯୋଡି ଭାଙ୍ଗି ଯାଇଛି । ଏବେ ଅଭିଷେକ ଶୁଭମନ ଗିଲଙ୍କ ସହ ଓପନିଂ କରୁଛନ୍ତି । ସ୍ଥିତି ଏମିତି ଯେ, ଏବେ ସଞ୍ଜୁଙ୍କୁ ଚୂଡାନ୍ତ ଏକାଦଶରେ ସ୍ଥାନ ମିଳୁନି । ଦକ୍ଷିଣ ଆଫ୍ରିକା ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ କଟକରେ ଖେଳା ଯାଇଛି । ଏହି ମ୍ୟାଚରେ ସଞ୍ଜୁ ସାମସନଙ୍କୁ ସ୍ଥାନ ମିଳି ନ ଥିଲା । ସିରିଜର ଦ୍ୱିତୀୟ ମ୍ୟାଚ୍ ଆଜି ନ୍ୟୁ ଚଣ୍ଡିଗଡରେ ଖେଳାଯିବ । ଏହି ମ୍ୟାଚରେ ମଧ୍ୟ ସଞ୍ଜୁଙ୍ୁ ସ୍ଥାନ ମିଳିବା ନେଇ ମୁସ୍କିଲ ଲାଗୁଛି । ଅନ୍ୟପଟେ ଶୁଭମନ ଗିଲଙ୍କ ଟି-୨୦ ଫର୍ମାଟରେ ନିରାଶଜନକ ପ୍ରଦର୍ଶନକୁ ନେଇ ପ୍ରଶ୍ନ ଉଠୁଛି ।
ଟି-୨୦ ଅନ୍ତର୍ଜାତୀୟରେ ଓପନର ଭାବେ ଭଲ ପ୍ରଦର୍ଶନ କରିବା ପାଇଁ ଶୁଭମନ ଗିଲଙ୍କ ଉପରେ ଚାପ ବଢିବାରେ ଲାଗିଛି । ଏହି ଫମାର୍ଟରେ ଗିଲଙ୍କ ଜବରଦସ୍ତି ଆଡଜଷ୍ଟ କରାଯାଉଛି । ଆଉ ଏହା ବଦଳରେ ସଞ୍ଜୁ ସାମସନଙ୍କୁ ଲଗାତାର ଚୂଡାନ୍ତ ଏକାଦଶରୁ ବାଦ୍ ଦିଆଯାଉଛି । ଏପରିକି ଗିଲଙ୍କ ପାଇଁ ଯଶସ୍ୱୀ ଜୟସ୍ୱାଲଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳୁନି । ରେକର୍ଡ ଉପରେ ନଜର ପକାଇଲେ ଗତ ୧୬ଟି ଟି-୨୦ରେ ଗିଲଙ୍କ ବ୍ୟାଟରୁ ଗୋଟିଏ ହେଲେ ଅର୍ଦ୍ଧଶତକ ଆସିନାହିଁ । ଏଥିରୁ ୮ଟି ଇନିଂସ ଏମିତି ରହିଛି, ଯେଉଁଥିରେ ସେ ୧୫ରୁ କମ ରନ କରିଛନ୍ତି । ଅନ୍ୟପଟେ ସଞ୍ଜୁ ସାମସନ ଓପନିଂ ଭାବେ ଗତ ୧୨ଟି ଇନିଂସରେ ୩ଟି ଶତକ ମାରିଛନ୍ତି ।
ପୂର୍ବତନ ଭାରତୀୟ ଟେଷ୍ଟ ଖେଳାଳି ଏବଂ ପ୍ରଖ୍ୟାତ ଭାଷ୍ୟକାର ଆକାଶ ଚୋପ୍ରା ଶୁଭମନ ଗିଲଙ୍କ ଟି ୨୦ ମ୍ୟାଚ୍ରେ ସ୍ଥାନ ଏବଂ ଛୋଟ ଫର୍ମାଟରେ ତାଙ୍କ ସାମ୍ପ୍ରତିକ ଫର୍ମ ଉପରେ ପ୍ରଶ୍ନ ଉଠାଇଛନ୍ତି। ଆକାଶ ଚୋପ୍ରା ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଯୁକ୍ତି ଦେଇଛନ୍ତି ଯେ ଶୁଭମନ ଅତ୍ୟଧିକ ପରିଶ୍ରମ ଯୋଗୁଁ ଲଗାତାର ବିଫଳ ହେଉଛନ୍ତି। ଗୋଟିଏ କଥା ସ୍ପଷ୍ଟ ଦଳ ପ୍ରବନ୍ଧକ ଗିଲଙ୍କ ପ୍ରତି ଅହେତୁକ ଅନୁକମ୍ପା ଦେଖାଉଛନ୍ତି । ଆଉ ସଞ୍ଜୁ ସାମସନଙ୍କ ପରି ଖେଳାଳିଙ୍କ ପ୍ରତି ବାରମ୍ବାର ଅନ୍ୟାୟ କରି ଚାଲିଛନ୍ତି ।
Also read: IND vs SA T20I: ଆଜି ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ମୁକାବିଲା