ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲି ଆଇସିସି ଦିନିକିଆ ମାନ୍ୟତାରେ ବଡ଼ ଲମ୍ଫ ମାରିଛନ୍ତି। କୋହଲି ଦିନିକିଆ ମାନ୍ୟତାରେ ଦ୍ଵିତୀୟ ସ୍ଥାନକୁ ଉଠିଛନ୍ତି। ଏହା ସହିତ ରୋହିତ ଶର୍ମାଙ୍କ ଶୀର୍ଷ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଦିନିକିଆ ସିରିଜରେ କୋହଲିଙ୍କ ପ୍ରଭାବଶାଳୀ ବ୍ୟାଟିଂ ପ୍ରଦର୍ଶନ ତାଙ୍କ ରାଙ୍କିଙ୍ଗରେ ବେଶ ଉନ୍ନତି ଘଟାଇଛି। ଅନ୍ୟପଟେ ରୋହିତ ଶର୍ମା ପୂର୍ବବତ୍ତ ଶୀର୍ଷ ସ୍ଥାନରେ ଅଛନ୍ତି।
ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି। ବୁଧବାର ଆଇସିସି ଦ୍ଵାରା ସଦ୍ୟତମ ଦିନିକିଆ ମାନ୍ୟତା ପ୍ରକାଶ କରିଛି। ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ନୂତନ ରାଙ୍କିଙ୍ଗରେ ଏବେ ବି ପ୍ରଥମ ସ୍ଥାନ ବଜାୟ ରଖିଛନ୍ତି। ତାଙ୍କର ରେଟିଂ ବର୍ତ୍ତମାନ ୭୮୨ ଥିବା ବେଳେ ଦ୍ଵିତୀୟ ସ୍ଥାନକୁ ଉଠିଥିବା ବିରାଟ କୋହଲିଙ୍କ ରେଟିଂ ୭୭୩କୁ ବୃଦ୍ଧି ପାଇଛି। ଏହାର ଅର୍ଥ ହେଉଛି ରୋହିତ ଏବଂ କୋହଲିଙ୍କ ରେଟିଂ ମଧ୍ୟରେ ବହୁତ ବ୍ୟବଧାନ ନାହିଁ। ଯଦି ରୋହିତ ତାଙ୍କର ନମ୍ବର ୱାନ ସ୍ଥାନ ବଜାୟ ରଖିବାକୁ ଚାହାଁନ୍ତି, ତେବେ ତାଙ୍କୁ ପରବର୍ତ୍ତୀ ମ୍ୟାଚରେ ଆହୁରି ଭଲ ପ୍ରଦର୍ଶନ କରିବାକୁ ପଡ଼ିବ।
ବିରାଟ କୋହଲିଙ୍କ ଦୁଇଟି ସ୍ଥାନ ଉନ୍ନତି ଘଟିଥିବା ବେଳେ , ନ୍ୟୁଜିଲ୍ୟାଣ୍ଡର ଡାରିଲ ମିଚେଲ ଏବଂ ଇବ୍ରାହିମ ଜାଦ୍ରନ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ଡାରିଲ ମିଚେଲ ୭୬୬ ରେଟିଂ ସହିତ ତୃତୀୟ ସ୍ଥାନରେ ପହଞ୍ଚିଛନ୍ତି। ଇବ୍ରାହିମ ଜାଦ୍ରନଙ୍କ ରେଟିଂ ୭୬୪ ସହ ଚତୁର୍ଥ ସ୍ଥାନରେ ଅଛନ୍ତି। ଭାରତର ଶୁଭମନ ଗିଲ ପଞ୍ଚମ ସ୍ଥାନରେ ଏବଂ ପାକିସ୍ତାନର ବାବର ଆଜମ ଷଷ୍ଠ ସ୍ଥାନରେ ରହିଛନ୍ତି। ବିଶେଷ କଥା ଭାରତୀୟ ଦଳର ଶ୍ରେୟସ ଆୟର ଏବେ ଦଶମ ସ୍ଥାନରେ ପହଞ୍ଚିଛନ୍ତି। ସେ ଗୋଟିଏ ସ୍ଥାନ ହରାଇଛନ୍ତି। ଶ୍ରୀଲଙ୍କାର ଚାରିଥ ଅସଲାଙ୍କା ଗୋଟିଏ ସ୍ଥାନ ଉପରକୁ ଉଠି ୯ ନମ୍ବରରେ ପହଞ୍ଚିବାରେ ସଫଳ ହୋଇଛନ୍ତି।
ଭାରତୀୟ ଦଳ ଚଳିତ ବର୍ଷ ଆଉ କୌଣସି ଦିନିକିଆ ଖେଳିବ ନାହିଁ। ତେଣୁ ଭାରତୀୟ ଖେଳାଳିଙ୍କ ରାଙ୍କିଂ ପ୍ରଭାବିତ ହେବ ନାହିଁ। ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ଜାନୁଆରୀରେ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବେ। ଏହା ପରେ ହିଁ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପୁଣି ଥରେ ଆକ୍ସନରେ ଦେଖିବାକୁ ମିଳିବ। ଏହା ପରେ ହିଁ ରାଙ୍କିଙ୍ଗରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି।