ନୂଆଦିଲ୍ଲୀ: ଆଇପିଏଲ୍ ୨୦୨୫ ମେ ୧୭ରୁ ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଆଇପିଏଲ୍ ଦଳଗୁଡିକ ପାଇଁ ଆସିଛି ଖୁସିର ଖବର । ଲିଗ୍ ସ୍ଥଗିତ ହେବା ପରେ ସ୍ୱଦେଶ ଫେରି ଯାଇଥିବା ବିଦେଶୀ ଖେଳାଳି ପୁଣି ଥରେ ଭାରତ ଆସିବାରେ ଲାଗିଛନ୍ତି । ଏଥିରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁେ ରୋମାରିଓ ଶେଫର୍ଡ, ଲିୟାମ ଲିଭିଙ୍ଗଷ୍ଟୋନ, କେକେଆରର ଆନ୍ଦ୍ରେ ରସେଲ ଓ ସୁନିଲ ନାରାୟଣଙ୍କ ପରି ବରିଷ୍ଠ ଖେଳାଳି ସାମିଲ । ତାଙ୍କ ସହିତ ଡ୍ୱେନ ବ୍ରାଭୋ ମଧ୍ୟ ଆସିଛନ୍ତି ଯିଏ କେକେଆରର ମେଣ୍ଟର । ଏହି ସବୁ ଖେଳାଳି ଗୋଟିଏ ଫ୍ଲାଇଟରେ ଭାରତ ଫେରିଛନ୍ତି । ଆସନ୍ତା ଶନିବାର ଖେଳା ଯିବାକୁ ଥିବା ମ୍ୟାଚରେ ମୁହାଁମୁହିଁ ହେବେ କେକେଆର ଓ ଆରସିବି ।
ରୋମାରିଓ ଶେଫର୍ଡ ୱେଷ୍ଟଇଣ୍ଡିଜ ଦିନିକିଆ ଦଳର ସଦସ୍ୟ । ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍ ମେ ୨୯ରୁ ଆରମ୍ଭ ହେଉଛି । ସେହି ଦିନଠୁ ଆଇପିଏଲର ପ୍ଲେ ଅଫ ମ୍ୟାଚ୍ ଖେଳାଯିବ । ୱେଷ୍ଟଇଣ୍ଡିଜ କ୍ରିକେଟ୍ ବୋର୍ଡ ଏ ପର୍ଯ୍ୟନ୍ତ ସ୍ପଷ୍ଟ କରି ନାହାନ୍ତି ଯେ, ରୋମାରିଓ ଶେଫର୍ଡ ଫେରିବେ ନା ଆଇପିଏଲ୍ ପୂରା ହେବା ପର୍ଯ୍ୟନ୍ତ ଭାରତରେ ରହିବେ । ଏହା ବ୍ୟତୀତ ଇଂଲଣ୍ଡର ଅଲରାଉଣ୍ଡର ଲିୟାମ ଲିଭିଙ୍ଗଷ୍ଟୋନ ମଧ୍ୟ ଆରସିବିରେ ଯୋଗ ଦେଇଛନ୍ତି । ଜ୍ୟାକବ ବେଥଲ ପୂର୍ବରୁ ଆରସିବିରେ ଯୋଗ ଦେଇ ସାରିଛନ୍ତି । ବେଥର ମଧ୍ୟ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜରେ ଇଂଲଣ୍ଡ ଦଳ ପାଇଁ ଚୟନ ହୋଇଛନ୍ତି । କିନ୍ତୁ ଲିୟାମ ଲିଭିଙ୍ଗଷ୍ଟୋନଙ୍କୁ ଦିନିକିଆ ଏବଂ ଟି-୨୦ ପାଇଁ ଇଂଲଣ୍ଡ ଦଳରେ ଚୟନ କରାଯାଇ ନାହିଁ ।
ବେଥଲ ଆରସିବିର ପରବର୍ତ୍ତୀ ଦୁଇଟି ମ୍ୟାଚ୍ କେକେଆର ଓ ଏସଆରଏଚ ବିପକ୍ଷରେ ଖେଳିବେ । ଲଖନଉ ସୁପର ଜାଏଣ୍ଟଓ ମ୍ୟାଚ୍ ପୂର୍ବରୁ ସେ ସ୍ୱଦେଶ ଫେରିଯିବେ । ଇଂଲଣ୍ଡ କ୍ରିକେଟ୍ ବୋର୍ଡ ଆଇପିଏଲ ପାଇଁ ମେ ୨୫ ତାରିଖ ପର୍ଯ୍ୟନ୍ତ ଏନଓସି ପ୍ରଦାନ କରିଥିଲା । ଏହି କାରଣରୁ ବେଥଲଙ୍କୁ ଜିମ୍ବାୱେ ବିପକ୍ଷ ଚାରି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଦଳରେ ଚୟନ କରାଯାଇ ନ ଥିଲା ।