ନୂଆଦିଲ୍ଲୀ: ରୋହତି ଶର୍ମାଙ୍କ ଟେଷ୍ଟ କ୍ରିକେଟରୁ ସନ୍ନ୍ୟାସ ନେବାର କିଛି ଦିନ ପରେ ମହାନ ବ୍ୟାଟର ବିରାଟ କୋହଲି ମଧ୍ୟ ଟେଷ୍ଟ କ୍ରିକେଟକୁ ଅଲବିଦା କହିଛନ୍ତି । କୋହଲି ସୋମବାର ନିଜର ୧୪ ବର୍ଷର ଟେଷ୍ଟ କ୍ୟାରିୟରରେ ପୂର୍ଣ୍ଣଛେଦ ପକାଇଛନ୍ତି । ୨୦୧୧ ଜୁନରେ ଡେବ୍ୟୁ କରିଥିବା ବିରାଟ ଇନଷ୍ଟାଗ୍ରାମରେ ପୋଷ୍ଟ କରି ସନ୍ନ୍ୟାସର ଘୋଷଣା କରିଛନ୍ତି ।
ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ପୂର୍ବରୁ ବିରାଟଙ୍କ ସନ୍ନ୍ୟାସ ଘୋଷଣା ଭାରତୀୟ ଦଳକୁ ବଡ ଝଟକା ଦେଇଛି । ସେ ନିଜ କ୍ୟାରିୟରରେ ୧୨୩ ଟେଷ୍ଟ ଖେଳି ୯୨୩୦ ରନ କରିଛନ୍ତି । ଏଥିରେ ୩୦ ଶତକ ଓ ୩୧ ଅର୍ଦ୍ଧଶତକ ସାମିଲ । ବିରାଟ ଟେଷ୍ଟରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ଚାଲନ୍ତୁ ଜାଣିବା କିଙ୍ଗ କୋହଲିଙ୍କ ଟେଷ୍ଟର ୫ ସର୍ବଶ୍ରେଷ୍ଠ ଇନିଂସ ବିଷୟରେ ।
୨୫୪ ରନ ବନାମ ଦକ୍ଷିଣ ଆଫ୍ରିକା
ବିରାଟ କୋହଲି ଟେଷ୍ଟ କ୍ୟାରିୟରରେ ସର୍ବଶ୍ରେଷ୍ଠ ସ୍କୋର ଦକ୍ଷିଣ ଆଫ୍ରିକା ବିପକ୍ଷରେ କରିଛନ୍ତି । ୨୫୪ ରନ ତାଙ୍କ ଟେଷ୍ଟ କ୍ୟାରିୟରର ସପ୍ତମ ଦ୍ୱିଶତକ । ଏହି ଇନିଂସ ଜରିଆରେ କୋହଲି ୭ ହଜାର ରନ ପୂରଣ କରିଥିଲେ । ତାଙ୍କର ଏହି ଦମଦାର ଇନିଂସ ଜରିଆରେ ଭାରତ ଇନିଂସ ଓ ୧୩୭ ରନରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା ।
୧୪୧ ରନ ବନାମ ଅଷ୍ଟ୍ରେଲିଆ
ଅଷ୍ଟ୍ରେଲିଆ ବିପକ୍ଷରେ ୩୬୪ ରନର ବିଜୟ ଲକ୍ଷ୍ୟ ପିଛା କରିବ ସମୟରେ ବିରାଟ କୋହଲି ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ତଥାପି ଭାରତ ବିଜୟଠୁ ୪୮ ରବ ପଛରେ ରହି ଯାଇଥିଲା । କୋହଲି ଉକ୍ତ ମ୍ୟାଚରେ ପ୍ରଥମ ଇନିଂସରେ ୧୧୫ ରନ ଓ ଦ୍ୱିତୀୟ ଇନିଂସରେ ୧୪୧ ରନର ଶତକୀୟ ଇନିଂସ ଖେଳିଥିଲେ ।
୧୫୩ ରନ ବନାମ ଦକ୍ଷିଣ ଆଫ୍ରିକା
୨୦୧୮ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ କୋହଲି ୧୦ମ ଓଭରରେ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ଆଉଟ୍ ହେବାରେ ଶେଷ ଖେଳାଳି ଥିଲେ । ସେ ଦକ୍ଷିଣ ଆଫ୍ରିକାର ୩୩୫ ରନ ଜବାବରେ ଭାରତର ସ୍କୋରକୁ ୩୦୭ ରନରେ ପହଞ୍ଚାଇଥିଲେ । କୋହଲି ୨୧୭ ବଲରେ ୧୫୩ ରନର ଇନିଂସ ଖେଳିଥିଲେ । କୋହଲିଙ୍କ ଏହି ପ୍ରୟାସ ପରେ ବି ଭାରତ ମ୍ୟାଚ୍ ହାରିଥିଲା ।
୧୪୯ ରନ ବନାମ ଇଂଲଣ୍ଡ
ବିରାଟ କୋହଲି ଇଂଲଣ୍ଡରେ ନିଜର ପ୍ରଥମ ଇନିଂସରେ ୧୪୯ ରନ କରିଥିଲେ । ଏଜବାଷ୍ଟନରେ ସଚିନ ତେନ୍ଦୁଲକରଙ୍କ ପରେ ଦ୍ୱିତୀୟ ଭାରତୀୟ ବ୍ୟାଟର ଭାବେ ଶତକ ଅର୍ଜନ କରିଥିଲେ । ତାଙ୍କର ଏହି ଶତକୀୟ ଇନିଂସ ସତ୍ତ୍ୱେ ବି ଭାରତ ୩୧ ରନରେ ମ୍ୟାଚ୍ ହାରିଥିଲା ।
୫୪ ରନ ବନାମ ଦକ୍ଷିଣ ଆଫ୍ରିକା
ଜୋହାନ୍ସବର୍ଗରେ ୨୦୧୮ରେ ବିରାଟ କୋହଲି ଏମିତି ଏକ ପିଚରେ ବ୍ୟାଟିଂ କରିଥିଲେ, ଯେଉଁଠି ଛିଡା ହେବା ମୁସ୍କିଲ ଥିଲା । ଏପରିକି ପିଚର ସ୍ଥିତି ଦେଖି ମ୍ୟାଚ୍ ରଦ୍ଦ କରାଯିବା ଉପରେ ବିଚାର କରାଯାଉଥିଲା । ସେହି ଆହ୍ୱାନପୂର୍ଣ୍ଣ ସ୍ଥିତିରେ କୋହଲି ପ୍ରଥମ ଇନିଂସରେ ୧୦୬ ବଲରୁ ୫୪ ରନ ଓ ଦ୍ୱିତୀୟ ଇନିଂସରେ ୭୯ ବଲରୁ ୪୧ ରନର କରିଥିଲେ । ଭାରତ ଉକ୍ତ ମ୍ୟାଚକୁ ୬୪ ରନରେ ଜିତି ନେଇଥିଲା ।