ତିରୁଅନନ୍ତପୁରମ: କଂଗ୍ରେସ ନେତା ଶଶି ଥରୁର ଦଳର 'ଲକ୍ଷ୍ମଣ ରେଖା' ଲଙ୍ଘିଥିବା ମନ୍ତବ୍ୟ ଉପରେ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି। ସେ କହିଛନ୍ତି, ମୁଁ ଦଳର ମୁଖପାତ୍ର ନୁହେଁ। ଯୁଦ୍ଧ ସମୟରେ ଆମକୁ ଆମ ଦେଶ ପାଇଁ ଛିଡ଼ା ହେବାକୁ ପଡିବ। ବିଶେଷକରି ଅନ୍ତର୍ଜାତୀୟ ସ୍ତରରେ ଆମକୁ ଏକାଠି ହେବାକୁ ପଡ଼ିବ ।
ଉଲ୍ଲେଖନୀୟ ଥରୁର ଅପରେସନ ସିନ୍ଦୂର ଉପରେ କେନ୍ଦ୍ର ସରକାରଙ୍କୁ ପ୍ରଶଂସା କରିଥିଲେ। ସେ କହିଥିଲେ ଅପରେସନ ସିନ୍ଦୂର ଜରିଆରେ ଭାରତ ପାକିସ୍ତାନ ଏବଂ ବିଶ୍ୱକୁ ଦୃଢ଼ ବାର୍ତ୍ତା ଦେଇଛି। ଆତଙ୍କବାଦକୁ ନେଇ ମୋଦୀ ସରକାର ସଠିକ୍ ପଦକ୍ଷେପ ନେଇଛନ୍ତି। ଏହାକୁ ନେଇ ଦଳରେ ରାଜନୀତି ଜୋର ଧରିଥିଲା। କଂଗ୍ରେସ କାର୍ଯ୍ୟକାରିଣୀ ବୈଠକରେ ଶଶି ଥରୁର ଲକ୍ଷ୍ମଣ ରେଖା ଅତିକ୍ରମ କରିଥିବା କୁହାଗଲା।
ତିରୁବନନ୍ତପୁରମରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ସମୟରେ ଥରୁର କହିଛନ୍ତି, 'ମୁଁ ଜାଣିନାହିଁ ଏସବୁ ଜିନିଷ କେଉଁଠୁ ଆସୁଛି। ଯେତେବେଳେ ମୁଁ କାର୍ଯ୍ୟକାରୀ କମିଟି ବୈଠକରେ ଥିଲି, ସେ ସମୟରେ ଏପରି କିଛି ଘଟିନଥିଲା। ଯଦି ମୁଁ ଯିବା ପରେ ଏହା ଘଟିଛି, ତେବେ ମୋତେ ଏପର୍ଯ୍ୟନ୍ତ କିଛି ସୂଚନା ଦିଆଯାଇ ନାହିଁ।
ଥରୁର ଏହା ମଧ୍ୟ କହିଛନ୍ତି, 'ମୁଁ ପୂର୍ବରୁ ସ୍ପଷ୍ଟ କରିସାରିଛି ଯେ ମୁଁ ଦଳର ମୁଖପାତ୍ର ନୁହେଁ, କିମ୍ବା ସରକାରଙ୍କ ମୁଖପାତ୍ର ନୁହେଁ।' ଯଦି ଲୋକମାନେ ଭାବନ୍ତି ଯେ ମୋର କୌଣସି ବିଷୟରେ ଜ୍ଞାନ ଅଛି, ତେବେ ସେମାନେ ମୋର ମତାମତ ପଚାରିଥାନ୍ତି। ମୁଁ ସର୍ବଦା କହି ଆସିଛି ଯେ ଜଣେ ଭାରତୀୟ ଭାବରେ ମୋର ମତାମତ ବ୍ୟକ୍ତିଗତ ଅଟେ।
ସୂଚନାଯୋଗ୍ୟ, ଗତକାଲି କଂଗ୍ରେସ କହିଛି ଯେ ଏହି ଦଳ ଏକ ଗଣତାନ୍ତ୍ରିକ ପାର୍ଟି ଏବଂ ସମସ୍ତଙ୍କୁ ନିଜର ମତ ରଖିବାର ଅଧିକାର ରହିଛି। ମାତ୍ର ଥରୁର ଭାରତ-ପାକିସ୍ତାନ ପ୍ରସଙ୍ଗରେ ଏଥର ଲକ୍ଷ୍ମଣ ରେଖା ଲଙ୍ଘିଛନ୍ତି। ତେଣୁ ବୈଠକରେ ପାର୍ଟି ହାଇକମାଣ୍ଡ କହିଛନ୍ତି ବ୍ୟକ୍ତିଗତ ମତ ରଖିବା ପରିବର୍ତ୍ତେ ପାର୍ଟିର ପକ୍ଷ ରଖନ୍ତୁ। କିନ୍ତୁ ଏହି ଉପଦେଶ ଦେବା ସମୟରେ କୌଣସି ନେତାଙ୍କ ନାଁ ନିଆଯାଇ ନ ଥିଲା। ବୈଠକ ପରେ ଥରୁରଙ୍କ ବୟାନ ବିଷୟରେ ପ୍ରଶ୍ନ ହେବାରୁ କଂଗ୍ରେସର ସାଧାରଣ ସଂପାଦକ ଜୟରାମ ରମେଶ କହିଥିଲେ, ଥରୁରଙ୍କ ଟିପ୍ପଣୀ ପାର୍ଟିର ରାୟ ନୁହେଁ।